ଢେଙ୍କାନାଳ ସିଦ୍ଧ ବଳରାମ ମନ୍ଦିରରେ ଚାଲିଛି ପଟିଦିଅଁଙ୍କ ଦୈନନ୍ଦିନ ପୂଜାନୀତି
ଢେଙ୍କାନାଳ : ସ୍ନାନ ପୂର୍ଣ୍ଣିମା ପରଠାରୁ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଜେ କରିଛନ୍ତି। ଏହି ସମୟରେ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ପ୍ରସିଦ୍ଧ ସିଦ୍ଧ ବଳରାମ ଜୀୟୁଙ୍କ ମନ୍ଦିରରେ ଠାକୁରମାନେ ଅଣସରରେ ଥିବା ବେଳେ ଗମ୍ବୁଜରେ ପଟିଦିଅଁ ପୂଜା ପାଉଛନ୍ତି। ପରମ୍ପରା ଅନୁଯାୟୀ ଆରାଧ୍ୟ ଦେବତା ବଳରାମଙ୍କ ବଦଳରେ ‘ବାସୁଦେବ’, ମାତା ସୁଭଦ୍ରାଙ୍କ ବଦଳରେ ‘ଦେବୀ ଭୁବନେଶ୍ବରୀ’ ଏବଂ ପ୍ରଭୁ କୃଷ୍ଣଙ୍କ ବଦଳରେ ‘ଶ୍ରୀ ନାରାୟଣ’ଙ୍କୁ ଆରାଧନା କରାଯାଉଛି। ଏବେ ଭକ୍ତମାନେ ମନ୍ଦିରକୁ ଆସି ପଟିଦିଅଁଙ୍କ ଦର୍ଶନ ଲାଭ କରୁଛନ୍ତି।ଅଣସର ସମୟରେ ପଟିଦିଅଁଙ୍କ ପାଇଁ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ପ୍ରାତଃରୁ ମଙ୍ଗଳ ଆଳତି କରାଯିବା ସହ ସ୍ନାନ, ତୁଳସୀ ଓ ଫୁଲ ଲାଗି କରାଯାଇ ବଲ୍ଲଭ ଭୋଗ ଅର୍ପଣ କରାଯାଉଛି। ସେହିପରି ମଧ୍ୟାହ୍ନ ସମୟରେ ଅନ୍ନ ଓ ଖେଚେଡି ଭୋଗ ଲାଗି କରାଯାଉଥିବା ବେଳେ ସନ୍ଧ୍ୟା ସମୟରେ ଆଳତି ଓ ପଣା ଭୋଗ ଦିଆଯାଉଛି। ଶେଷରେ ରାତ୍ର ଧୂପ ସମ୍ପନ୍ନ ହେବା ପରେ ଠାକୁରଙ୍କ ପହଡ ପଡୁଛି। ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ପଟିଦିଅଁ ପୂଜା ନୀତି ଯଥାବିଧି ପାଳନ କରାଯାଉଛି। ପୂଜକ ଶ୍ରୀବତ୍ସ ମିଶ୍ର ଏବଂ ମଳୟ କର ଏହି ସମସ୍ତ ପୂଜାର୍ଚ୍ଚନା କରୁଥିବା ବେଳେ ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର ଏବଂ କାହାଳିଆ ଟିକନ ବେହେରା ନୀତିକାନ୍ତିରେ ସହଯୋଗ କରୁଛନ୍ତି।



