ଜିଏନଏମ ଟ୍ରେନିଂ ସ୍କୁଲରେ ନାମ ଲେଖା ଅନୁମୋଦନ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର
ତାଳଚେର,୪/୭: ତାଳଚେରବଏନ.ଏସ.ସି.ଏଚ ହସ୍ପିଟାଲ ସ୍ଥିତ ଜିଏନଏମ ଟ୍ରେନିଂ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖା ପାଇଁ ଅନୁମୋଦନ ନେଇ ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଏବଂ ତାଳଚେରବାସୀଙ୍କ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ସ୍ଥାନୀୟ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷ ନାମ ଲେଖା ପାଇଁ ଓଡିଶା ସରକାରଙ୍କ ଓଡ଼ିଶା ନର୍ସିଂ ଆଣ୍ଡ ମିଡୱାଇଭ୍ସ ରେଜିଷ୍ଟ୍ରେସନ୍ କାଉନସିଲ, ବିଜ୍ଞପ୍ତି ବାହାର କରିଛନ୍ତି। ଯେଉଁଥିରେ କି ଫାୟର ସେଫ୍ଟି ଫର୍ମ ୫ ନଥିବାରୁ ଏମସିଏଲ ଅଧିନସ୍ଥ ତାଳଚେର ସ୍ଥିତ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ ମଧ୍ୟରେ ଥିବା ଜିଏନଏମ ଟ୍ରେନିଂ ସ୍କୁଲକୁ ଚଳିତ ବର୍ଷ ନାମ ଲେଖା ତାଲିକାରୁ ବଞ୍ଚିତ କରାଯାଇଛି ବୋଲି ଦାବିପତ୍ର ଜରିଆରେ ଅବଗତ କରାଯାଇଛି। ବର୍ତ୍ତମାନ ସମୟରେ ଏନ.ଏସ.ସି.ଏଚ ହସ୍ପିଟାଲକୁ ଏମସିଏଲ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରି ସାରିଛି ଯେଉଁଠି ୧୦୦ ସିଟ ଏବଂ ୩୫୦ ଶଯ୍ୟା ବିଶିଷ୍ଟ ନୂତନ କରି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଇଛି। ଶହେ ମେଡିକାଲ ଛାତ୍ରଛାତ୍ରୀ ପାଠ ପଢିବା ସାଙ୍ଗକୁ ଶତାଧିକ ନର୍ସ ପାରା ମେଡିକାଲ ଷ୍ଟାଫ ଅନବରତ କାର୍ଯ୍ୟରତ ରହୁଛନ୍ତି । ତେବେ ମେଡିକାଲ କଲେଜ ଭିତରେ ଥିବା ନର୍ସିଙ୍ଗ ସ୍କୁଲରେ ଫାୟାର ସାର୍ଟିଫିକେଟ ପ୍ରଦାନ କରିନାହାନ୍ତି କହି ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟାରୁ ବଞ୍ଚିତ ରଖିବା ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳିବା ସମାନ କହିଲେ ଅତ୍ୟୁକ୍ତି ହେବନାହିଁ ।
ଏଣୁ ଶିକ୍ଷିତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଆଖି ଆଗରେ ରଖି ଉକ୍ତ ପ୍ରସଙ୍ଗରେ ପୁନର୍ବିଚାର କରାଯାଇ ଜିଏନଏମ ଟ୍ରେନିଂ ସ୍କୁଲ, ଏନ.ଏସ.ସି.ଏଚ, ଏମସିଏଲ ତାଳଚେରକୁ ଅବିଳମ୍ବେ ନାମ ଲେଖା ପାଇଁ ଅନୁମୋଦନ ଦିଆଯାଉ ବୋଲି ତାଳଚେର ଜନ ବିକାଶ କଲ୍ୟାଣ ସଙ୍ଘ ଏବଂ ତାଳଚେରବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ନଚେତ ଆଗାମୀ ଦିନରେ ଯାହାବି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସମ୍ପୂର୍ଣ୍ଣ ଭାବେ ସରକାର ଦାୟୀ ରହିବେ ବୋଲି ସଙ୍ଘ ପକ୍ଷରୁ ସ୍ପଷ୍ଟ କରି ଦିଆ ଯାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ଜନ ବିକାଶ କଲ୍ୟାଣ ସଙ୍ଘର ସଭାପତି ଭୂପେନ ଥମ୍ବ, ସଂପାଦକ ଦ୍ରୁମଦ ପ୍ରଧାନ, ମନୋଜ ଶତପଥି, ସୀତାକାନ୍ତ ବାରିକ, ବିନୋଦ ଲାଲ, ଅନିଲ ମହାପାତ୍ର, ଆଶିଷ ପ୍ରଧାନ, ମାନସ ରଂଜନ ବେହେରା, ପଞ୍ଚାନନ ବିଳାସ, ସର୍ବେଶ୍ୱର ସାହୁ ଓ ମଦନ ମୋହନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



