ଏମସିଏଲ୍ ଲୋଗୋ ଥିବା ଟ୍ରିବ୍ୟୁନାଲ୍ ସାଇନବୋର୍ଡକୁ ନେଇ ଅସନ୍ତୋଷ
ତାଳଚେର, ୦୪/୦୭ ତାଳଚେରରେ କାର୍ଯ୍ୟରତ କୋଇଲା ଭାର ବହନ କ୍ଷେତ୍ର (କୋଲ୍ ବିୟରିଂ ଏରିଆ) ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ର ସାଇନବୋର୍ଡ ରେ ଭାରତ ସରକାରଙ୍କ ଅଶୋକ ସ୍ତମ୍ଭ ପରିବର୍ତେ ଏମସିଏଲ୍ ର ଲୋଗୋ ବ୍ୟବହାର କରାଯାଇଥିବାକୁ ନେଇ ଆଇନଜୀବୀ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ଅଭିଯୋଗ ଅନୁଯାୟୀ ଟ୍ରିବ୍ୟୁନାଲ୍ ଟି କେନ୍ଦ୍ର ସରକାରଙ୍କ ଅଧୀନରେ ଗଠିତ ଏକ ସ୍ୱତନ୍ତ୍ର ନ୍ୟାୟିକ ସଂସ୍ଥା ହୋଇଥିଲେ ମଧ୍ୟ ଏହାର ସାଇନବୋର୍ଡ ରେ ଏମସିଏଲ୍ ର ଲୋଗୋ ପ୍ରଦର୍ଶନ କରାଯିବା ଦ୍ୱାରା ନ୍ୟାୟାଳୟର ସ୍ୱାଧୀନ ପରିଚୟ କ୍ଷୁର୍ଣ୍ଣ ହେଉଛି । ବିଶେଷ କରି ଟ୍ରିବ୍ୟୁନାଲ୍ ରେ ଶୁଣାଣୀ ହେଉଥିବା ଅନେକ ମାମଲାରେ ଏମସିଏଲ୍ ଏକ ପକ୍ଷକାର ଥିବାରୁ ଏପରି ସାଇନବୋର୍ଡ ସାଧାରଣ ମକଦ୍ଦମାକାରୀଙ୍କ ମନରେ ନ୍ୟାୟିକ ନିରପେକ୍ଷତା ସମ୍ପର୍କରେ ସନ୍ଦେହ ସୃଷ୍ଟି କରୁଥିବ ବୋଲି କେତେକ ମହଲରେ ମତ ପ୍ରକାଶ କରିଛନ୍ତି । ସେହିପରି ଟ୍ରିବ୍ୟୁନାଲ୍ ବର୍ତମାନ ଏକ ଅସ୍ଥାୟୀ ପରିସରରୁ କାର୍ଯ୍ୟ କରୁଥିବାରୁ ମକଦ୍ଦମାକାରୀ, ବୃଦ୍ଧ ଓ ଦିବ୍ୟାଙ୍କ ବ୍ୟକ୍ତିମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ଟ୍ରିବ୍ୟୁନାଲ୍ ପାଇଁ ଶୀଘ୍ର ଭାରତ ସରକାରଙ୍କ ପରିଚୟ ସହିତ ସ୍ୱତନ୍ତୟ ସାଇନବୋର୍ଡ ଏବଂ ଏକ ସ୍ଥାୟୀ ନ୍ୟାୟାଳୟ ଭବନ ନିର୍ମାଣ କରିବାକୁ ସ୍ଥାନୀୟ ମହଲରୁ ଦାବୀ ହୋଇଛି । ବର୍ତମାନ ଟ୍ରିବ୍ୟୁନାଲ୍ ସ୍ଥାପନ ଏବଂ ପୂର୍ଣ୍ଣକାଳୀନ ପ୍ରିଜାଇଡିଂ ଅଫିସର ନିଯୁକ୍ତି ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବା ଦସ୍ତାବିଜ୍ ମଧ୍ୟ ଉପଲବ୍ଧ ରହିଛି ।

July 4, 2026/
No Comments


