ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଢେଙ୍କାନାଳ, ୧୧ ଜୁଲାଇ: ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ର, ଯାହାକି ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ, ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାର ଙ୍କ ଏକ ଏକକ ପକ୍ଷରୁ ଆଜି ବିଶ୍ୱ ଜନସଂଖ୍ୟା ଦିବସ-୨୦୨୬ ପାଳନ କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ଆଜି ଏବଂ ଭବିଷ୍ୟତ ପାଇଁ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାର ସାକାର ରୂପାୟନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍. ଏମ୍. ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ସେ ଜନସଂଖ୍ୟା ବୃଦ୍ଧି, ସମ୍ବଳର ସୁଚିନ୍ତିତ ବ୍ୟବହାର ଏବଂ ସଚେତନ ନାଗରିକ ଭାବେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଢେଙ୍କାନାଳର ସହକାରୀ ଲିଗାଲ ଏଡ୍ ଡିଫେନ୍ସ କାଉନସେଲ୍ ଶ୍ରୀ ବିଭୂପ୍ରସାଦ ମହାରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜନସଂଖ୍ୟା ବୃଦ୍ଧିର ସାମାଜିକ, ଆର୍ଥିକ ଓ ଆଇନଗତ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଯୁବପିଢ଼ିଙ୍କୁ ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ସହିତ ଏକ ସୁସ୍ଥ, ଶିକ୍ଷିତ ଓ ଦାୟିତ୍ୱବାନ ସମାଜ ଗଠନରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ ଦେଇଥିଲେ।
ପରେ ଆୟୋଜିତ ଓପେନ୍ ହାଉସ୍ କୁଇଜ୍ ପ୍ରତିଯୋଗିତାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ଜନସଂଖ୍ୟା, ସ୍ୱାସ୍ଥ୍ୟ, ପରିବେଶ ଓ ବିଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଥିଲେ।
କାର୍ଯ୍ୟକ୍ରମର ଶେଷରେ ସମସ୍ତ ଅଂଶଗ୍ରହଣକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସଂଖ୍ୟା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ଦାୟିତ୍ୱବୋଧ ସମ୍ପନ୍ନ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ ଏକ ସଫଳ ପ୍ରୟାସ କରାଯାଇଥିଲା। ଏହି କାର୍ଯକ୍ରମକୁ ଢ଼େଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶ୍ରୀ ଶଙ୍କର ଗୁରୁଙ୍ଗ ପରିଚାଳନା କରିଥିଲେ।



