ଜନ୍ମଦିନରେ ଘରକୁ ଫେରିଥିଲେ ଇଞ୍ଜିନିୟର ସ୍ୱାମୀ, ପରଦିନ ମିଳିଲା ଝୁଲନ୍ତା ମୃତଦେହ… ହତ୍ୟା ଅଭିଯୋଗରେ ତଦନ୍ତ ଜୋରଦାର
ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଘରକୁ ଆସିଥିଲେ ୩୪ ବର୍ଷୀୟ ଇଞ୍ଜିନିୟର ରଶ୍ମିରଞ୍ଜନ ସେଠୀ। ହେଲେ ଏହି ଖୁସିର ଦିନ ପରେ ଘଟିଗଲା ଏକ ରହସ୍ୟଜନକ ମୃତ୍ୟୁ। ଘର ଭିତରୁ ମିଳିଲା ତାଙ୍କ ଝୁଲନ୍ତା ମୃତଦେହ। ଘଟଣାକୁ ନେଇ ଏବେ ହତ୍ୟା ନା ଆତ୍ମହତ୍ୟା—ଏହି ପ୍ରଶ୍ନ ଉଠିଛି।
ମୃତ ରଶ୍ମିରଞ୍ଜନ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ଥିବାବେଳେ କଟକରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ଜୁଲାଇ ୧୬ ତାରିଖ ରାତିରେ ସେ ପତ୍ନୀଙ୍କ ଜନ୍ମଦିନ ପାଳନ ପାଇଁ ବାଲେଶ୍ୱରସ୍ଥିତ ତାଙ୍କ ଭଡ଼ା ଘରକୁ ଆସିଥିଲେ।
ପତ୍ନୀଙ୍କ କହିବା ଅନୁଯାୟୀ, ସେ ଘର ଭିତରେ ସ୍ୱାମୀଙ୍କୁ ଛାତରୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ, ମୃତକଙ୍କ ପରିବାର ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ମୃତକଙ୍କ ଭାଇ ପୃଥିବୀ କୁମାର ସେଠୀଙ୍କ ଅଭିଯୋଗ ଅନୁଯାୟୀ, ଦାମ୍ପତ୍ୟ ଜୀବନରେ ବାରମ୍ବାର ଝଗଡ଼ା ହେଉଥିଲା ଏବଂ ପତ୍ନୀଙ୍କ କଥିତ ପରକୀୟା ସମ୍ପର୍କକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଥିଲା।
ଘଟଣା ପରେ ପୋଲିସ ପ୍ରଥମେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଥିଲା। ପରେ ପରିବାରର ଅଭିଯୋଗ ଆଧାରରେ ମୃତକଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ସମୟରେ ସେ ଘରେ ଉପସ୍ଥିତ ଥିଲେ।
ସାହାଦେବଖୁଣ୍ଟା ଥାନା ଆଇଆଇସି ଆଲୋକ କୁମାର ବେହେରା କହିଛନ୍ତି ଯେ, ମାମଲାର ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ହତ୍ୟାର ସମ୍ଭାବନାକୁ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଖାରଜ କରିନାହିଁ।
ଏବେ ପୋଷ୍ଟମର୍ଟମ୍ ରିପୋର୍ଟ ଏବଂ ପୋଲିସ ତଦନ୍ତ ଉପରେ ନଜର। ରଶ୍ମିରଞ୍ଜନଙ୍କ ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ରହିଛି କୌଣସି ଷଡ଼ଯନ୍ତ୍ର—ତଦନ୍ତ ପରେ ହିଁ ସତ୍ୟ ସାମ୍ନାକୁ ଆସିବ।



