ପ୍ରଶ୍ନପତ୍ର ଲିକ୍ ରୋକିବାକୁ କଡ଼ା ଆଇନ: ସଂସଦରେ ବିଲ୍ ପାସ୍, ଦୋଷୀଙ୍କୁ ଛାଡ଼ ନାହିଁ ବୋଲି କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଦେଶରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ଲକ୍ଷ୍ୟରେ ଆଣାଯାଇଥିବା ପ୍ରଶ୍ନପତ୍ର ପ୍ରଘଟ (ଲିକ୍) ବିରୋଧୀ ବିଲ୍କୁ ସଂସଦର ଉଭୟ ଗୃହ ଅନୁମୋଦନ କରିଛି। ବିଲ୍ ପାସ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପରୀକ୍ଷାର ସ୍ୱଚ୍ଛତା ସହ କୌଣସି ପ୍ରକାରର ସାଲିସ କରାଯିବ ନାହିଁ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି ପ୍ରଶ୍ନପତ୍ର ଲିକ୍ ସମସ୍ୟା ଦେଶର ବିଭିନ୍ନ ରାଜ୍ୟକୁ ପ୍ରଭାବିତ କରିଆସୁଛି। ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବିପଦରେ ପକାଉଥିବାରୁ ଏହା ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଥିଲା।
ସେ କହିଛନ୍ତି ଯେ, କେବଳ ଆଇନ ନୁହେଁ, ବରଂ ଟାସ୍କ ଫୋର୍ସ ଗଠନ, ଫାଷ୍ଟ-ଟ୍ରାକ୍ ବ୍ୟବସ୍ଥା ଏବଂ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଆହୁରି ସୁରକ୍ଷିତ ଓ ନିର୍ଭରଯୋଗ୍ୟ କରାଯିବ। ରାଜ୍ୟ ସରକାରମାନେ ମଧ୍ୟ ଏହି ସଂସ୍କାରକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ ଆହ୍ୱାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ଚକ୍ରରେ ସାମିଲ ଥିବା ମାଫିଆ ଓ ଗ୍ୟାଙ୍ଗମାନଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ହେବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା କାହାକୁ ମଧ୍ୟ ଆଇନରୁ ରିହାତି ମିଳିବ ନାହିଁ।
ସେ ଆହୁରି କହିଛନ୍ତି ଯେ, ସଂସଦରେ ବିଲ୍ ପାସ୍ ହେବା ସହିତ ଦେଶରେ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ବିଶ୍ୱସନୀୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିକଶିତ ଭାରତ ଗଠନରେ ଯୁବପିଢ଼ିର ଭବିଷ୍ୟତ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ ଦୋହରାଇଛନ୍ତି।



