ପ୍ରଶ୍ନପତ୍ର ଲିକ୍ ଉପରେ କଡ଼ା ପ୍ରହାର: ରାଜ୍ୟସଭାରେ ବି ପାସ୍ ହେଲା ଆଣ୍ଟି ପେପର ଲିକ୍ ବିଲ୍
ନୂଆଦିଲ୍ଲୀ: ଦେଶରେ ସରକାରୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନ୍ସ) ସଂଶୋଧନ ବିଲ୍ ଗୁରୁବାର ରାଜ୍ୟସଭାରେ ମଧ୍ୟ ପାସ୍ ହୋଇଛି। ଏହା ସହିତ ବିଲ୍ଟି ସଂସଦର ଉଭୟ ସଦନର ମଞ୍ଜୁରି ପାଇଛି ଏବଂ ଏବେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପରେ ଆଇନରେ ପରିଣତ ହେବ।
ଲୋକସଭାରେ ବୁଧବାର ପ୍ରାୟ ସାତ ଘଣ୍ଟିଆ ଆଲୋଚନା ପରେ ବିଲ୍ ପାସ୍ ହୋଇଥିବାବେଳେ, ଗୁରୁବାର କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଜ୍ୟସଭାରେ ବିଲ୍ ଉପସ୍ଥାପନ କରିଥିଲେ। ସରକାର କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଚକ୍ରକୁ ଭାଙ୍ଗିବା ଏବଂ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଏହି ସଂଶୋଧନ ଅତ୍ୟନ୍ତ ଜରୁରୀ।
ନୂଆ ବ୍ୟବସ୍ଥା ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ ଭଳି ଅପରାଧରେ ଜଡ଼ିତ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ସର୍ବାଧିକ ୧୦ କୋଟି ଟଙ୍କା ଜରିମାନା, କାରାଦଣ୍ଡ ଏବଂ ଫାଷ୍ଟ-ଟ୍ରାକ୍ କୋର୍ଟରେ ଶୀଘ୍ର ବିଚାରର ବ୍ୟବସ୍ଥା ରହିଛି।
ବିଲ୍ ଉପରେ ଆଲୋଚନା ବେଳେ ଜିତେନ୍ଦ୍ର ସିଂହ କହିଥିଲେ ଯେ, ୨୦୨୪ରେ ପ୍ରଣୀତ ଆଇନର ଅନୁଭୂତିକୁ ଆଧାର କରି ଏହି ସଂଶୋଧନ କରାଯାଇଛି। ସେ କହିଥିଲେ ଯେ, ଆଇନ ଲାଗୁ ହେବା ପରଠାରୁ ୫୨ଟି ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ପ୍ରଶ୍ନପତ୍ର ଲିକ୍କୁ କେନ୍ଦ୍ର କରି ଆତ୍ମହତ୍ୟା ଘଟଣାରେ ମଧ୍ୟ ହ୍ରାସ ଦେଖାଯାଇଛି।
ତେବେ ରାଜ୍ୟସଭାରେ ବିଲ୍କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍ଯୁଦ୍ଧ ହୋଇଥିଲା। ବିରୋଧୀ ଦଳ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)ର କାର୍ଯ୍ୟପ୍ରଣାଳୀକୁ ପ୍ରଶ୍ନ କରି ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଦାବି କରିଥିଲେ।
ଅନ୍ୟପଟେ ସରକାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶ୍ନପତ୍ର ଲିକ୍ ବିରୋଧରେ କଠୋର ଆଇନଗତ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ ଦେଶର ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଓ ବିଶ୍ୱସନୀୟ କରିବ ବୋଲି ସରକାର ଦାବି କରିଛନ୍ତି।



