ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା; ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର, ୧ ଅଗଷ୍ଟ: ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଡିଜିପି ସ୍ପଷ୍ଟ କରିଥିଲେ ଯେ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି ବରଦାସ୍ତ କରାଯିବ ନାହିଁ। ସମସ୍ତ ସୁରକ୍ଷା ଏଜେନ୍ସି ଓ ବିଭାଗ ମଧ୍ୟରେ ନିବିଡ଼ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ତଦାରଖ ଓ ସମୀକ୍ଷା କରିବାକୁ ସେ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷକରି ଭିଭିଆଇପି ଯାତାୟାତ ମାର୍ଗ, କାର୍ଯ୍ୟକ୍ରମ ସ୍ଥଳ ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ବଳୟକୁ କଡ଼ାକଡ଼ି କରିବା ସହ ଆଣ୍ଟି-ସାବୋଟାଜ୍ ଯାଞ୍ଚ ଓ ଆଧୁନିକ ବୈଷୟିକ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି।
ରାଷ୍ଟ୍ରପତି ଅଗଷ୍ଟ ୪ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବାକୁ ଥିବାରୁ ରେଳ ସୁରକ୍ଷାକୁ ମଧ୍ୟ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବା ସହ ପ୍ରତ୍ୟେକ ଲେଭଲ୍ କ୍ରସିଂରେ ସୁରକ୍ଷାକର୍ମୀ ମୁତୟନ ହେବେ। ପ୍ଲାଟଫର୍ମରେ ନିୟୋଜିତ ରେଳବାଇ କର୍ମଚାରୀଙ୍କୁ ପୂର୍ବରୁ ଚିହ୍ନଟ କରି ସ୍ୱତନ୍ତ୍ର ଡ୍ୟୁଟି ପାସ୍ ପ୍ରଦାନ କରାଯାଉଛି।
ଡିଜିପି କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୋଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟରେ କାର୍ଯ୍ୟ କରାଯିବ।
ଏହି ବୈଠକରେ ଗୁଇନ୍ଦା, ଆଇନ-ଶୃଙ୍ଖଳା, କମିଶନରେଟ୍ ପୋଲିସ, ପୂର୍ବତଟ ରେଳବାଇ ସୁରକ୍ଷା ଏବଂ କ୍ରାଇମବ୍ରାଞ୍ଚର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଗସ୍ତର ସୁରକ୍ଷା ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଥିଲେ।



