ଦୁର୍ନୀତି ଅଭିଯୋଗରେ ମେଡିକାଲ ଅଫିସର ବହିଷ୍କୃତ, କଡ଼ା ଆଭିମୁଖ୍ୟ ଜାରି ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ମଧ୍ୟରେ ଜଣେ ମେଡିକାଲ ଅଫିସରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ସିଏଚ୍ସିର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ ସେବାରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସୂଚନା ଅନୁଯାୟୀ, ଡାକ୍ତର ବାରିକ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ସିଏଚ୍ସିରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ଆସିଥିଲା। ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ସରକାରୀ ସେବାରୁ ବହିଷ୍କାର ଭଳି କଠୋର ପଦକ୍ଷେପ ନିଆଯାଇଛି।
ଡାକ୍ତର ବାରିକ ବର୍ତ୍ତମାନ ଗଜପତି ଜିଲ୍ଲାର ଗୁରାଣ୍ଡି ସିଏଚ୍ସିରେ କାର୍ଯ୍ୟରତ ଥିବା ସୂଚନା ରହିଛି। ତେବେ ତାଙ୍କ ବିରୋଧରେ ନିଆଯାଇଥିବା ବହିଷ୍କାର ନିଷ୍ପତ୍ତି ତାଙ୍କ ପୂର୍ବ କାର୍ଯ୍ୟକାଳ ସମୟର ଦୁର୍ନୀତି ଅଭିଯୋଗ ସହ ସମ୍ପର୍କିତ।
ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନର ସମସ୍ତ ସ୍ତରକୁ ନିର୍ଦ୍ଦେଶ ଦେଇଆସୁଛନ୍ତି। ସରକାରୀ ବ୍ୟବସ୍ଥାରେ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସରକାର ପକ୍ଷରୁ ବାରମ୍ବାର କୁହାଯାଇଛି।
ମେଡିକାଲ ଅଫିସରଙ୍କ ବହିଷ୍କାର ଘଟଣାକୁ ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟର ଏକ କଠୋର ପଦକ୍ଷେପ ଭାବେ ଦେଖାଯାଉଛି।
— ଜାଗ୍ରତ ଭାରତ ନ୍ୟୁଜ୍



