ଆଟଲାଣ୍ଟିକ୍ ଯାତ୍ରା ସଫଳ: ପର୍ତ୍ତୁଗାଲରେ ପହଞ୍ଚିଲା ଭାରତୀୟ ନୌସେନାର ଜାହାଜ ‘ସୁଦର୍ଶିନୀ’

ପୋଣ୍ଟା ଡେଲଗାଡା: ଭାରତୀୟ ନୌସେନାର ପ୍ରଶିକ୍ଷଣ ଜାହାଜ INS ସୁଦର୍ଶିନୀ ୧୩ ଅଗଷ୍ଟ ୨୦୨୬ରେ ପର୍ତ୍ତୁଗାଲର ଆଜୋରେସ୍ସ୍ଥିତ ପୋଣ୍ଟା ଡେଲଗାଡା ବନ୍ଦରରେ ପହଞ୍ଚିଛି। ‘ଲୋକାୟନ ୨୦୨୬’ ସାମୁଦ୍ରିକ ଯାତ୍ରା ଅଭିଯାନର ଅଂଶ ଭାବେ ଏହି ଜାହାଜ ଏଠାରେ ପହଞ୍ଚିଛି।
ଆମେରିକାର ବୋଷ୍ଟନରୁ ଆରମ୍ଭ ହୋଇଥିବା ୧୯ ଦିନିଆ କଠିନ ଆଟଲାଣ୍ଟିକ୍ ମହାସାଗର ଯାତ୍ରାକୁ INS ସୁଦର୍ଶିନୀ ସଫଳତାର ସହ ଶେଷ କରିଛି। ଏହା ଜାହାଜର ଦ୍ୱିତୀୟ ଆଟଲାଣ୍ଟିକ୍ ଯାତ୍ରା, ଯାହା ଏହାର ଚାଳକଦଳର ଧୈର୍ଯ୍ୟ, ସାହସ ଓ ନୌସାମୁଦ୍ରିକ ଦକ୍ଷତାର ପରିଚୟ ଦେଇଛି।
ପୋଣ୍ଟା ଡେଲଗାଡା ବନ୍ଦରରେ ପହଞ୍ଚିବା ପରେ ପର୍ତ୍ତୁଗାଲ ନୌସେନା ପକ୍ଷରୁ INS ସୁଦର୍ଶିନୀକୁ ଉଷ୍ମ ସ୍ୱାଗତ କରାଯାଇଥିଲା। ଏହି ଗସ୍ତ ମାଧ୍ୟମରେ ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରା, ମିତ୍ରତା ଓ ସାମୁଦ୍ରିକ ସହଯୋଗର ବାର୍ତ୍ତା ଆଗକୁ ବଢ଼ିବ।
ଗସ୍ତ ସମୟରେ INS ସୁଦର୍ଶିନୀର କମାଣ୍ଡିଂ ଅଫିସର ଆଜୋରେସ୍ ସାମୁଦ୍ରିକ କ୍ଷେତ୍ରର କମାଣ୍ଡର କମୋଡୋର ଲୁଇସ୍ ନିକୋଲସନ୍ ଲାଭ୍ରାଡୋରଙ୍କୁ ସାକ୍ଷାତ କରିଛନ୍ତି। ଏହାସହ ଦୁଇ ଦେଶର ନୌସେନା ମଧ୍ୟରେ ବୃତ୍ତିଗତ ଆଲୋଚନା, ପରିଚାଳନାଗତ ସହଯୋଗ ଓ ସାଂସ୍କୃତିକ ଆଦାନପ୍ରଦାନ ହେବ।
ଏହି ଗସ୍ତ ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ଓ ସହଯୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଏପର୍ଯ୍ୟନ୍ତ ୧୫,୦୦୦ରୁ ଅଧିକ ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରିଥିବା INS ସୁଦର୍ଶିନୀ ଭାରତର ସମୃଦ୍ଧ ସାମୁଦ୍ରିକ ପରମ୍ପରାର ପ୍ରତୀକ ଏବଂ ଏକ ‘ସଦ୍ଭାବନା ଦୂତ’ ଭାବେ ନିଜ ଯାତ୍ରା ଜାରି ରଖିଛି।



