₹୮ ହଜାର ଲାଞ୍ଚ ନେଉଥିଲେ ଆରଆଇ, ଅଫିସ୍ ଚାମ୍ବରରୁ ଧରିଲା ଭିଜିଲାନ୍ସ
ଜୟପୁର: ସରକାରୀ କାମ ପାଇଁ ଲାଞ୍ଚ ନେବା ଅଭିଯୋଗରେ ପୁଣିଥରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)। ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କଲର ଆରଆଇ ସୂରଜ ବାଲାଙ୍କୁ ₹୮ ହଜାର ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଧରିଛି।
ଅଭିଯୋଗ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ଅନୁସୂଚିତ ଜାତି (ଏସ୍ସି) ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ପାଇଁ ନିୟମ ଅନୁସାରେ ଫି’ ଦେଇ ଅନଲାଇନ୍ରେ ଆବେଦନ କରିଥିଲେ। ତେବେ ରିପୋର୍ଟ ପ୍ରଦାନରେ ବିଳମ୍ବ କରି ଆରଆଇ ସୂରଜ ବାଲା ମୋଟ ₹୧୦ ହଜାର ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ପ୍ରଥମ ପର୍ଯ୍ୟାୟରେ ₹୮ ହଜାର ଏବଂ କାମ ସରିବା ପରେ ଅବଶିଷ୍ଟ ₹୨ ହଜାର ଦେବାକୁ କଥା ହୋଇଥିଲା। ଏନେଇ ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲେ।
ମଙ୍ଗଳବାର ଆରଆଇ ନିଜ କାର୍ଯ୍ୟାଳୟ ଚାମ୍ବରରେ ₹୮ ହଜାର ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଗିରଫ ପରେ ସୂରଜ ବାଲାଙ୍କ ସମ୍ଭାବ୍ୟ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ପାଇଁ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି।
ଉଲ୍ଲେଖଯୋଗ୍ୟ, ସୂରଜ ବାଲାଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ମାମଲା ରହିଛି। ୨୦୨୩ରେ ଏକ ଇସି କେସ୍ ନୋଟିସ୍ ପ୍ରଦାନ ପାଇଁ ₹୧୫ ହଜାର ଲାଞ୍ଚ ନେବା ଅଭିଯୋଗରେ ସେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ। ଉକ୍ତ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି।



