ତ୍ରିରଙ୍ଗା ପତାକାକୁ ଅସମ୍ମାନ ଟାଙ୍ଗୀ ଥାନାରେ ଶତାଧିକଙ୍କ ଅଭିଯୋଗ
ଟାଙ୍ଗୀ, ୧୮।୮: ସ୍ୱାଧୀନତା ଦିବସ ଅବସରରେ ଟାଙ୍ଗୀରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ନେଇ ସାମାଜିକ ଗଣମାଧ୍ୟମରେ ଅପପ୍ରଚାର ହୋଇଥିବା ଅଭିଯୋଗରେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତ୍ରିରଙ୍ଗା ପତାକାକୁ ଅସମ୍ମାନ କରାଯାଇଥିବା ଦର୍ଶାଇ କିଛି ଫଟୋ ଓ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଅଭିଯୋଗ କରି ଟାଙ୍ଗୀ ଅଞ୍ଚଳର ଶତାଧିକ ଜନସାଧାରଣ ମଙ୍ଗଳବାର ଥାନାରେ ପହଞ୍ଚି ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ତ୍ରିଦେବ ବେହେରାଙ୍କ ନେତୃତ୍ୱରେ ଟାଙ୍ଗୀ ହାଇସ୍କୁଲ ଖେଳପଡ଼ିଆରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସଫା ଦେଇ ଭଟିମୁଣ୍ଡା ଖେଳପଡ଼ିଆରେ ଶେଷ ହୋଇଥିଲା। ଏଥିରେ ଶହଶହ ଲୋକ ଅଂଶଗ୍ରହଣ କରିଥିଲେ।
ଶୋଭାଯାତ୍ରା ସମୟରେ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରାଯିବା ସହ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା ବୋଲି ଅଭିଯୋଗକାରୀମାନେ କହିଛନ୍ତି। ତ୍ରିରଙ୍ଗା ପତାକାକୁ ଯେପରି କୌଣସି ପ୍ରକାର ଅସମ୍ମାନ ନ ହୁଏ, ସେଥିପାଇଁ ଅଂଶଗ୍ରହଣକାରୀଙ୍କୁ ବାରମ୍ବାର ସଚେତନ କରାଯାଇଥିବା ମଧ୍ୟ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଶୋଭାଯାତ୍ରା ଶେଷ ହେବା ପରେ ଟାଙ୍ଗୀ ହାଇସ୍କୁଲ ଖେଳପଡ଼ିଆକୁ ସଫା କରାଯାଇଥିଲା। ତେବେ ପଡ଼ିଆରେ ତ୍ରିରଙ୍ଗା ପତାକା ପଡ଼ିଥିବା ଦର୍ଶାଇ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଅଭିଯୋଗକାରୀମାନେ ଦର୍ଶାଇଛନ୍ତି। ଏଭଳି ପତାକା ଶୋଭାଯାତ୍ରା ଆୟୋଜକଙ୍କ ପକ୍ଷରୁ ବ୍ୟବହାର କରାଯାଇନଥିଲା ବୋଲି ସେମାନେ ଦାବି କରିଛନ୍ତି।
ଏହି ପୋଷ୍ଟ ଓ ଫଟୋ ମାଧ୍ୟମରେ ତ୍ରିରଙ୍ଗା ପତାକାକୁ ଅସମ୍ମାନିତ କରିବା ସହ ଟାଙ୍ଗୀ ଅଞ୍ଚଳର ମର୍ଯ୍ୟାଦା କ୍ଷୁଣ୍ଣ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ପତ୍ରରେ କୁହାଯାଇଛି। ଘଟଣାର ସଠିକ୍ ତଦନ୍ତ କରି ସାମାଜିକ ଗଣମାଧ୍ୟମରେ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନାନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଓ ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀମାନେ ପୁଲିସ ପ୍ରଶାସନକୁ ନିବେଦନ କରିଛନ୍ତି। ଅଭିଯୋଗ ଦାଖଲ ସମୟରେ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଦାସ, ସନାତନ ସ୍ୱାଇଁ, ପ୍ରବୀର କୁମାର ଦାସ, ବିଜେପି ମଣ୍ଡଳ ସଭାପତି ହୃଷିକେଶ ସାମଲ, କିଷାନ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ପ୍ରବକ୍ତା ପ୍ରଭାକର ସ୍ୱାଇଁ, ସମାଜସେବୀ ଅମୂଲ୍ୟ କୁମାର ବେହେରା, ରୋହିତ ମହାନ୍ତି, ସନାତନ ଦାସଙ୍କ ସମେତ ଶତାଧିକ ଲୋକ ଉପସ୍ଥିତ ଥିଲେ।



