ଏସ୍ସିବି ଓ ହନୁମାନ ବାଟିକାର ନବୀକରଣକୁ ଗୁରୁତ୍ୱ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବେ ବିକଶିତ କରିବା ସହ ରାଉରକେଲାର ପ୍ରସିଦ୍ଧ ହନୁମାନ ବାଟିକାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଗତି ବଢ଼ାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଉଭୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।
ଏସ୍ସିବି ପୁନଃବିକାଶ ପ୍ରକଳ୍ପ ଅଧୀନରେ ଚାରିଟି ନୂତନ କ୍ଲିନିକାଲ ବ୍ଲକ ଓ ଗୋଟିଏ ଆବାସିକ ବ୍ଲକର ନିର୍ମାଣ ଜାରି ରହିଛି। ଆବାସିକ ବ୍ଲକର କାମ ପ୍ରାୟ ଶେଷ ହୋଇଥିବାବେଳେ କ୍ଲିନିକାଲ ବ୍ଲକଗୁଡ଼ିକ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରହିଛି। ଏହା ସହିତ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ଶୀଘ୍ର ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ହସ୍ପିଟାଲ ପରିସରରେ ନିର୍ମାଣାଧୀନ ବହୁତଳ କାର୍ ପାର୍କିଂ ବ୍ୟବସ୍ଥା ଓ ତାଳଦଣ୍ଡା କେନାଲ ସଂଯୋଜିତ ଟ୍ରାଫିକ କରିଡର ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ରୋଗୀ, ସମ୍ପର୍କୀୟ ଓ ଡାକ୍ତରମାନଙ୍କ ଯାତାୟାତ ସୁବିଧା ସହ ପାର୍କିଂ ସମସ୍ୟା ଦୂର କରିବାକୁ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି।
ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ, ରାସ୍ତା ପ୍ରଶସ୍ତୀକରଣ ଓ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ଏସ୍ସିବି ଅଞ୍ଚଳକୁ ଏକ ସୁନ୍ଦର ଓ ସୁବ୍ୟବସ୍ଥିତ ପରିବେଶ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହା ସହ ବୋଷ ଇଞ୍ଜିନିୟରିଂ ସ୍କୁଲ, ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ରାଜ୍ୟ ସାମୁଦ୍ରିକ ସଂଗ୍ରହାଳୟ ଅଞ୍ଚଳର ସମନ୍ୱିତ ବିକାଶ ଉପରେ ଆଲୋଚନା ହୋଇଛି।
ଅନ୍ୟପକ୍ଷରେ, ରାଉରକେଲାର ହନୁମାନ ବାଟିକାର ପୁନଃବିକାଶକୁ ମଧ୍ୟ ବୈଠକରେ ସ୍ୱତନ୍ତ୍ର ଗୁରୁତ୍ୱ ମିଳିଛି। ନିର୍ମାଣ କାର୍ଯ୍ୟରେ ବାଟିକାର ଧାର୍ମିକ ଓ ଆଧ୍ୟାତ୍ମିକ ପରିଚୟକୁ ପ୍ରାଥମିକତା ଦେବା ସହ ପବିତ୍ରତା ଓ ପ୍ରାକୃତିକ ପରିବେଶ ଅକ୍ଷୁଣ୍ଣ ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବାଟିକା ପରିସରରେ ଚାଲିଥିବା ଓ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ସମେତ ବିଭିନ୍ନ ଆଧ୍ୟାତ୍ମିକ ଭିତ୍ତିଭୂମି କାମକୁ ତ୍ୱରାନ୍ୱିତ କରିବା ସହ ଭକ୍ତମାନଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ବାଟିକା ବାହାର ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ, ପ୍ରଶସ୍ତ ରାସ୍ତା ଓ ଆଲୋକୀକରଣ ପାଇଁ ଡିପିଆର୍ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବରିଷ୍ଠ ଅଧିକାରୀ ଓ ସମ୍ପୃକ୍ତ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।



