ଜେଲ୍ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି: ଦୁଇଗୁଣା ହେଲା ପୋଷାକ ଭତ୍ତା
ଭୁବନେଶ୍ୱର: ଓଡ଼ିଶାର ଜେଲ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜେଲ୍ କର୍ମଚାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ଦୁଇଗୁଣା ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନୂଆ ହାର ଚଳିତ ଆର୍ଥିକ ବର୍ଷରୁ ଲାଗୁ ହେବ।
ନୂଆ ନିଷ୍ପତ୍ତି ଅନୁସାରେ, DIG of Prisons ଠାରୁ Assistant Matron ପର୍ଯ୍ୟନ୍ତ ୩୭୮ ଜଣ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତା ୩,୦୦୦ ଟଙ୍କାରୁ ବଢ଼ି ୬,୦୦୦ ଟଙ୍କା ହୋଇଛି। ସେହିପରି ୨,୧୨୨ ଜଣ Chief Warder, Warder ଓ Women Warderଙ୍କ ଭତ୍ତା ୪,୦୦୦ ଟଙ୍କାରୁ ବଢ଼ି ୮,୦୦୦ ଟଙ୍କା କରାଯାଇଛି।
୨୫୦୦ କର୍ମଚାରୀ ହେବେ ଉପକୃତ
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୨,୫୦୦ ଜଣ ଜେଲ୍ ଅଧିକାରୀ ଓ କର୍ମଚାରୀ ଉପକୃତ ହେବେ। ଭତ୍ତା ବୃଦ୍ଧି ଯୋଗୁଁ ରାଜ୍ୟ ସରକାରଙ୍କ ଉପରେ ବାର୍ଷିକ ପ୍ରାୟ ୯୬.୨୨ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ।
ଜେଲ୍ କର୍ମଚାରୀମାନେ ଡ୍ୟୁଟି ସମୟରେ ନିର୍ଦ୍ଧାରିତ ପୋଷାକ ବ୍ୟବହାର କରୁଥିବାରୁ ଏହି ବୃଦ୍ଧି ସେମାନଙ୍କ ପୋଷାକ କିଣିବା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚରେ ଆର୍ଥିକ ସହାୟତା ଦେବ ବୋଲି ଆଶା କରାଯାଉଛି।
ସରକାରଙ୍କ ଏହି ନିଷ୍ପତ୍ତିକୁ ଜେଲ୍ ବିଭାଗର ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।



