ମଣିଷ ହାତୀ ସହାବସ୍ଥାନ ପାଇଁ ବହୁ ହିତାଧିକାରୀଙ୍କ ଆଲୋଚନା କର୍ମଶାଳା

ହିନ୍ଦୋଳ ବ୍ଲକ ଅନ୍ତର୍ଗତ ସାତମାଇଲର ବାସନ୍ତୀ କନ୍ଭେନ୍ସନ୍ ହଲଠାରେ ଆପୋୱା ଓ ହିନ୍ଦୋଳ ବନ ବିଭାଗ ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଦିନ ମଣିଷ ହାତୀ ସହାବସ୍ଥାନ ଉପରେ ବହୁ ହିତାଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆପୋୱା ନିର୍ଦ୍ଦେଶକ ବିଜୟ କୁମାର କବି ସଭାପତିତ୍ବ କରିଥିଲେ ଓ ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ହର୍ଷ ବର୍ଦ୍ଧନ ଉଦଗାତା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ମିହିର ପଟ୍ଟନାୟକ,ଜଙ୍ଗଲ ପରିବେଶ ସୁରକ୍ଷା ମଞ୍ଚର ସଭାପତି ତ୍ରିନାଥ ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଛାତ୍ର ଛାତ୍ରୀ, ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା,ବନ ବିଭାଗ କର୍ମଚାରୀ, ବିଦ୍ୟୁତ୍ କର୍ମଚାରୀ, ଉଦ୍ୟାନ ବିଭାଗ,କୃଷି ବିଭାଗ, ପ୍ରାଣୀଧନ ବିଭାଗ, ହିନ୍ଦୋଳ ଓ ଢେ଼ଙ୍କାନାଳରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏହି ଆଲୋଚନା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ପୂଜନ କରାଯାଇଥିଲା । ତତ୍ପରେ ତର୍କାବେଡ଼ା କୁମୁରିସିଂହା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ହାତୀ ମଣିଷ ସହାବସ୍ଥାନ ଉପରେ ଏକ ସଚେତନାଧର୍ମୀ ନାଟକ ‘ଆସ ଆମେ ଶିଖିବା” ପରିବେଷଣ କରାଯାଇଥିଲା ଓ ଅଂଶଗ୍ରହଣକାରୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଗୁଳେହି ସମିତି ସଭ୍ୟା ପ୍ରଭାତୀ ବେହେରା,ସରପଞ୍ଚ ରିତାରାଣୀ ସାହୁ, ଦଣ୍ଡିରି ସମିତି ସଭ୍ୟ ବାବୁ ସିଂହ, ଏଫ୍ଇଏସ୍ କର୍ମୀ ଜଗନ୍ନାଥ ନାୟକ,ଅସ୍ପାୟରର ପ୍ରଣୟ ସାହୁ, ଆଳୁସିଂହ ବନ ସୁରକ୍ଷା ସମିତି ସଭାପତି ଅଖିଳ ସାମଲ, ତର୍କାବେଡ଼ା ଗ୍ରାମ ସମ୍ପାଦକ ଗିରିଶ ଚନ୍ଦ୍ର ପ୍ରଧାନ, ମଧୁପୁର ଗ୍ରାମ ସଭାପତି ଭୋଳେଶ୍ୱର ଜେନା ସମେତ ପ୍ରତ୍ୟେକ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ହାତୀ ମଣିଷ ବିବାଦର ଆଞ୍ଚଳିକ ସ୍ତରରେ ଘଟୁଥିବା ଘଟଣାବଳୀ ଉପରେ ଆଲୋକପାତ କରି ଏହାର ବିଭିନ୍ନ ପ୍ରକାରର ସମାଧାନର ବାଟ ବିଷୟରେ ଖୋଲା ଆଲୋଚନା କରିଥିଲେ । କଣ କରିବା ଓ କଣ ନ କରିବା ଉପରେ ୪ ଦଳରେ ଭାଗ ହୋଇ ଅଂଶଗ୍ରହଣକାରୀମାନେ ମତାମତ ପ୍ରଦାନ କରିଥିଲେ ।ପରିଶେଷରେ ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ବୀରେନ କୁମାର ଦାସ ମଞ୍ଚ ପରିଚାଳନ କରିଥିଲେ । ରବି ରଞ୍ଜନ କବି,ଅସିତ୍ କୁମାର ଦେହୁରୀ ଓ ସୁଶାନ୍ତ କୁମାର ଦ୍ୱିବେଦୀ କାର୍ଯ୍ୟକ୍ରମ ଅୟୋଜନରେ ସହଯୋଗ କରିଥିଲେ।





