ସାତ ଦିନ ଛେଚିବ ବର୍ଷା! ଅରେଞ୍ଜ ୱାର୍ଣ୍ଣିଂରେ ଅନେକ ଜିଲ୍ଲା
ଭୁବନେଶ୍ୱର, ୨୬/୦୮: ରାଜ୍ୟରେ ମୌସୁମୀ ବର୍ଷାର ପ୍ରଭାବ ଆହୁରି ବଢ଼ିବାକୁ ଯାଉଛି। ଆସନ୍ତା କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିବା ସହ ୨୯ ତାରିଖରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବଙ୍ଗୋପସାଗରରେ ନୂଆ ପାଣିପାଗ ପ୍ରଣାଳୀ ଗଠନ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିପାରେ। ଆସନ୍ତା ୨୮ ତାରିଖରୁ ଉତ୍ତର ଓ ଉତ୍ତର-ପୂର୍ବ ଓଡ଼ିଶାରେ ବର୍ଷା ବଢ଼ିବାର ପୂର୍ବାନୁମାନ ରହିଛି।
୨୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼,ଅନୁଗୋଳ ଭଳି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ଦିନଗୁଡ଼ିକରେ ମଧ୍ୟ କେତେକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ବଳବତ୍ତର ରହିବ।
ଏଥିସହ ବର୍ଷା ସମୟରେ ବଜ୍ରପାତ ଓ ଝଟକା ପବନର ଆଶଙ୍କା ମଧ୍ୟ ରହିଛି। ଅତିବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାରେ ପାଣି ଜମିବା ଏବଂ ଯାତାୟାତ ପ୍ରଭାବିତ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ କରିଛି।
ସେପଟେ, ଅଗଷ୍ଟ ୨୬ରୁ ୩୧ ତାରିଖ ମଧ୍ୟରେ ଓଡ଼ିଶାରେ ବ୍ୟାପକ ବର୍ଷା ସହ କେତେକ ସ୍ଥାନରେ ଭାରୀରୁ ଅତିଭାରୀ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ବର୍ଷା ବଢ଼ିବାକୁ ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।



