୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ
ଅନୁଗୋଳ, ୨୫/୮: ଅନୁଗୋଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୬୨ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ ଏବଂ ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ ଯୋଗଦେଇଥିଲେ।
ଏହାସହ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ ଅଖତର ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହାନ୍ତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା କରିଥିଲେ।
ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ ଆଲୋଚନା

ବୈଠକରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟସେବା, ଶିକ୍ଷା, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିରନ୍ତର ବିଦ୍ୟୁତ୍ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ବର୍ଷା ଋତୁରେ ଅଘୋଷିତ ବିଦ୍ୟୁତ୍ କାଟ ଉପରେ ନିୟନ୍ତ୍ରଣ ରଖିବା ସହ ଜିଲ୍ଲା ଖଣିଜ ପାଣ୍ଠି ମାଧ୍ୟମରେ ଯୋଗାଇ ଦିଆଯାଇଥିବା ଟ୍ରାନ୍ସଫର୍ମରଗୁଡ଼ିକର ସଠିକ୍ ଉପଯୋଗ କରିବାକୁ ଟିପିସିଓଡିଏଲ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଖାଲି ଡାକ୍ତର ଓ ଶିକ୍ଷକ ପଦବୀ ପୂରଣ ଉପରେ ଗୁରୁତ୍ୱ
ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଖାଲି ପଡ଼ିଥିବା ଡାକ୍ତରୀ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ନେଇ ଆଲୋଚନା ହୋଇଥିଲା। ସେହିପରି ଖାଲି ଥିବା ଶିକ୍ଷକ ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ସହ ସ୍କୁଲଗୁଡ଼ିକର ଭିତ୍ତିଭୂମି ତଦାରଖ ଓ ଆବଶ୍ୟକ ମରାମତି କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ରାସ୍ତା, ବ୍ରିଜ୍ ଓ କେନାଲ କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ମାଣାଧୀନ ରାସ୍ତା, ବ୍ରିଜ୍ ଓ କେନାଲଗୁଡ଼ିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଖଣି ଅଞ୍ଚଳ ଓ ଏହାର ଉପାନ୍ତ ଅଞ୍ଚଳରେ ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ଓ ପରିଚାଳନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ଜ୍ୟବସ୍ତୁ ନିୟନ୍ତ୍ରଣ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବୈଠକରେ ଆରଏଏସ୍ ପ୍ରୋବେସନର ଅଭି ଜୈନଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ସଭ୍ୟ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଶେଷରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବମୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।



