ଯୁବ ଆକାଂକ୍ଷାକୁ ମିଳିବ ଜାତୀୟ ମଞ୍ଚ, ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ମୋଦୀ
ନୂଆଦିଲ୍ଲୀ, ୨୭/୮: ଦେଶର ଯୁବପିଢ଼ିଙ୍କ ସହ କ୍ରୀଡ଼ା, ଫିଟନେସ୍ ଓ ରାଷ୍ଟ୍ର ନିର୍ମାଣ ନେଇ ସିଧାସଳଖ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ଣ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ‘ଖେଲୋ ଇଣ୍ଡିଆ ଡାଏଲଗ୍’କୁ ସମ୍ବୋଧିତ କରିବେ।
‘ମେରା ଯୁବ ଭାରତ’ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳନର ଅଂଶ ଭାବେ ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଜିଲ୍ଲାର ଦୁଇଟି ଲେଖାଏଁ କଲେଜରେ ଯୁବବର୍ଗଙ୍କ ସକ୍ରିୟ ଅଂଶଗ୍ରହଣରେ ଏହା ଆୟୋଜିତ ହେବ।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ଭାରତର କ୍ରୀଡ଼ା ଯାତ୍ରା ସହ ଯୋଡ଼ିବା ସହ ସେମାନଙ୍କ ଆକାଂକ୍ଷା, ଚିନ୍ତାଧାରା ଓ ପ୍ରସ୍ତାବକୁ ଜାତୀୟ ବିକାଶ ଏଜେଣ୍ଡାରେ ସାମିଲ କରିବା। ଏହା ମାଧ୍ୟମରେ ଏକ ସୁସ୍ଥ, ଶୃଙ୍ଖଳିତ ଓ କ୍ରୀଡ଼ାପ୍ରିୟ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକାକୁ ଆହୁରି ସୁଦୃଢ଼ କରାଯିବ।
ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ପରେ ସ୍ଥାନୀୟସ୍ତରରେ ଯୁବ ଅଂଶଗ୍ରହଣକାରୀ, ମାଇ ଭାରତ ସ୍ୱେଚ୍ଛାସେବୀ, କ୍ରୀଡ଼ାବିତ୍ ଓ ଜନପ୍ରତିନିଧିଙ୍କୁ ନେଇ ଆଲୋଚନା ହେବ। ବିଶେଷକରି ଦେଶର ଅଗ୍ରଣୀ କ୍ରୀଡ଼ାବିତ୍ ଓ ପଦକ ବିଜେତାଙ୍କ ସହ ଯୁବପିଢ଼ିଙ୍କ ସିଧାସଳଖ ଆଲୋଚନା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବ।
‘ଯୁବ ସମ୍ବାଦ’ ମାଧ୍ୟମରେ ଯୁବକଯୁବତୀମାନେ ନିଜର ଚିନ୍ତାଧାରା, ଦୃଷ୍ଟିକୋଣ ଓ ଆକାଂକ୍ଷା ପ୍ରକାଶ କରିବାର ସୁଯୋଗ ପାଇବେ। କ୍ରୀଡ଼ା ସହିତ ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବା, ଫିଟନେସ୍ ଓ ରାଷ୍ଟ୍ର ନିର୍ମାଣକୁ ଏକ ମଞ୍ଚରେ ଆଣିବା ଏହି ପଦକ୍ଷେପର ପ୍ରମୁଖ ଲକ୍ଷ୍ୟ ରହିଛି।



