ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମାଝୀ: ମହାନଦୀ ଜଳ ବିବାଦ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ହେବ ଆଲୋଚନା
ଭୁବନେଶ୍ୱର: ଓଡ଼ିଶାର ଜଳ ସମ୍ପଦ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ସହ ବୈଠକ ହେବାର ସୂଚନା ମିଳିଛି।
ବିଶେଷ କରି ଦୀର୍ଘଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇପାରେ। ମହାନଦୀର ଜଳ ବଣ୍ଟନ, ଜଳ ପରିଚାଳନା ଏବଂ ଉଭୟ ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।
ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବହୁଦିନ ଧରି ମତଭେଦ ଲାଗିରହିଛି। ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ମାଧ୍ୟମରେ ରାସ୍ତା ଖୋଜିବାକୁ କେନ୍ଦ୍ର ସରକାର ମଧ୍ୟ ପୂର୍ବରୁ ପ୍ରୟାସ କରିଛନ୍ତି।
ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କୁ ନେଇ ମହାନଦୀ ପ୍ରସଙ୍ଗରେ ଆଲୋଚନା ମଧ୍ୟ ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଦିଲ୍ଲୀ ଗସ୍ତ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ସହ ସମ୍ଭାବ୍ୟ ବୈଠକକୁ ନେଇ ମହାନଦୀ ବିବାଦର ସମାଧାନ ଦିଗରେ ନୂଆ ଆଶା ସୃଷ୍ଟି ହୋଇଛି।
ମହାନଦୀ ଜଳ ବିବାଦ ବ୍ୟତୀତ ଓଡ଼ିଶାର ଅନ୍ୟାନ୍ୟ ଜଳ ସମ୍ପଦ ପ୍ରକଳ୍ପ ଓ ସମସ୍ୟା ନେଇ ମଧ୍ୟ କେନ୍ଦ୍ର ସହ ଆଲୋଚନା ହୋଇପାରେ।



