ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର: ଗାନ୍ଧୀମାର୍ଗରେ ୧୮ ଦିନ ଧରି ଶିକ୍ଷକ-କର୍ମଚାରୀଙ୍କ ଧାରଣା
ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ; ଦାବି ପୂରଣ ପାଇଁ ଆଲୋଚନା ଓ ପ୍ରକ୍ରିୟା ଆରମ୍ଭ ଦାବି
ଭୁବନେଶ୍ୱର: ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଦୀର୍ଘ ୧୮ ଦିନ ଧରି ଚାଲିଥିବା ଦିବାରାତ୍ରି ଗଣଧାରଣାକୁ ନେଇ ଏଭଳି ଚେତାବନୀ ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି।
ଖରା, ବର୍ଷା ଓ ପ୍ରତିକୂଳ ପାଗକୁ ଖାତିର ନକରି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଦିନରାତି ଧାରଣାରେ ବସି ରହିଛନ୍ତି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ନହେବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ସମନ୍ୱୟ ସମିତି କହିଛି।
ସରକାରଙ୍କୁ ନିଶାନା
ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ କହିଛନ୍ତି, ଏହି ଆନ୍ଦୋଳନ କେବଳ ଶିକ୍ଷକ ଓ କର୍ମଚାରୀଙ୍କ ବୃତ୍ତିଗତ ଦାବି ପାଇଁ ନୁହେଁ। ରାଜ୍ୟର ସାଢେ ତିନି ହଜାରରୁ ଅଧିକ ଶିକ୍ଷାନୁଷ୍ଠାନର ଭବିଷ୍ୟତ ସହ ଏହା ଜଡିତ। ଏହି ଅନୁଷ୍ଠାନଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ମଧ୍ୟ ଏହା ସହ ସମ୍ପୃକ୍ତ ବୋଲି ସେ କହିଛନ୍ତି।
ସମିତିର ଅଭିଯୋଗ ଅନୁସାରେ, ପୂର୍ବରୁ ଦାବିଗୁଡିକ ନେଇ ସରକାରଙ୍କ ପକ୍ଷରୁ ଆଲୋଚନା ଓ ସମାଧାନର ଆଶ୍ୱାସନ ମିଳିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ। ବିଭିନ୍ନ ସମୟରେ କମିଟି ଗଠନ, ବୈଠକ ଓ ରିପୋର୍ଟ ପରେ ମଧ୍ୟ ସମାଧାନର ରାସ୍ତା ନବାହାରିବାକୁ ନେଇ ସମିତି ପ୍ରଶ୍ନ ଉଠାଇଛି।
ଶିକ୍ଷକ-କର୍ମଚାରୀଙ୍କ ମୁଖ୍ୟ ଦାବି
ଆନ୍ଦୋଳନକାରୀଙ୍କ ଦାବି ମଧ୍ୟରେ ରହିଛି—
- ସମସ୍ତ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ।
- ଯୋଗ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ଶିକ୍ଷା ଉପକରଣ, ପୋଷାକ, ସାଇକେଲ ଓ ଶିକ୍ଷାବୃତ୍ତି ସୁବିଧା।
- ନୂତନ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ପେନ୍ସନ୍ ଓ ଅବସରକାଳୀନ ସୁବିଧା।
- ବିଦ୍ୟାଳୟ ଓ ମହାବିଦ୍ୟାଳୟର ଖାଲି ପଦବୀ ପୂରଣ।
- ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ଓ ବରିଷ୍ଠତା ପ୍ରଦାନ।
- ଗ୍ରେଡ୍ ପେ’ରେ ଥିବା ଅସଙ୍ଗତି ଦୂରୀକରଣ।
- ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି।
- ସମାନ କାମକୁ ସମାନ ଦରମା।
- ସମସ୍ତ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ।
“ଧୈର୍ଯ୍ୟର ପରୀକ୍ଷା ନକରନ୍ତୁ”
ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଅତୀତରେ ଅନେକଥର ଶିକ୍ଷକ-କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ। କିନ୍ତୁ ଦାବି ପୂରଣ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ସମିତି ଅଭିଯୋଗ କରିଛି।
ସମିତି ପକ୍ଷରୁ ସରକାରଙ୍କୁ କାଳକ୍ଷେପଣ ନୀତି ଛାଡି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ ଦିଆଯାଇଛି। ତୁରନ୍ତ ପ୍ରକ୍ରିୟା ଆରମ୍ଭ ନହେଲେ ଆଗାମୀ ଦିନରେ ଶିକ୍ଷକ, ଛାତ୍ର, ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟମାନେ ଏକାଠି ହୋଇ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ନେତୃତ୍ୱ ଚେତାବନୀ ଦେଇଛି।
ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ସରକାରଙ୍କୁ ଶୀଘ୍ର ଆଲୋଚନାରେ ବସି ଦାବିଗୁଡିକର ସମାଧାନ କରିବାକୁ ଦାବି କରିଛନ୍ତି। ନଚେତ୍ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।



