FCI ଚାଉଳ ନ ଉଠାଇବାକୁ ନେଇ କ୍ଷୋଭ: ଭରା ସଭାରେ ଅସହାୟତା ପ୍ରକାଶ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଭୁବନେଶ୍ୱର: ଓଡ଼ିଶାରୁ ଭାରତୀୟ ଖାଦ୍ୟ ନିଗମ (FCI) ଧାର୍ଯ୍ୟ ପରିମାଣର ଚାଉଳ ଉଠାଉ ନଥିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଭରା ସଭାରେ ଏନେଇ ନିଜ ଅସହାୟତା ପ୍ରକାଶ କରିବା ସହ ରାଜ୍ୟର ଚାଉଳ ଶୀଘ୍ର ଉଠାଇବାକୁ FCI କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, FCI ପକ୍ଷରୁ ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ଉଠାଇବାକୁ ଟାର୍ଗେଟ୍ ଦିଆଯାଇଥିଲା। ରାଜ୍ୟ ସରକାର ସେହି ଟାର୍ଗେଟ୍ ଅନୁଯାୟୀ କାମ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଶାନୁରୂପ ଚାଉଳ ଉଠାଯାଇନାହିଁ।
ଏହି ସମସ୍ୟା ସମ୍ପର୍କରେ ସେ ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଥିବା କହିଛନ୍ତି। ମନ୍ତ୍ରୀଙ୍କ ଅଭିଯୋଗ, FCI ବେଳେବେଳେ ରାଜ୍ୟକୁ ଅସୁବିଧାରେ ପକାଉଛି ଏବଂ ଚାଉଳ ଠିକ୍ ସମୟରେ ଉଠାଯାଉନଥିବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ସେ କହିଛନ୍ତି, ରାଜ୍ୟରେ ଧାନ ଉତ୍ପାଦନ ନେଇ ସରକାର ଚିନ୍ତିତ ନୁହନ୍ତି। ଉତ୍ପାଦନ ଆହୁରି ବଢ଼ିବ। ଚାଷୀଙ୍କୁ ଧାନର ମୂଲ୍ୟ ପ୍ରଦାନରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାର ପ୍ରାୟ ୩୦ ହଜାର କୋଟି ଟଙ୍କା ଦେଉଥିବା ସହ ୪୮ ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ କରୁଥିବା ସେ ଦାବି କରିଛନ୍ତି।
ତେବେ ଚାଉଳ ଠିକ୍ ସମୟରେ ଉଠାଯାଉନଥିବାରୁ ଆଗାମୀ ଦିନରେ ପୁଣି ଧାନ କିଣିବା କଷ୍ଟକର ହୋଇପାରେ ବୋଲି ମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ଚାଉଳ ନ ଉଠିଲେ ରାଜ୍ୟର ହାତ ବାନ୍ଧି ହୋଇଯିବ ବୋଲି ସେ କହିଛନ୍ତି।
FCI ଜିଏମ୍ଙ୍କ ଉଦ୍ଦେଶ୍ୟରେ ମନ୍ତ୍ରୀ ରାଜ୍ୟର ଚାଉଳ ଶୀଘ୍ର ଉଠାଇବାକୁ ଦାବି କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ପୁଣି ଏକ ଉଚ୍ଚସ୍ତରୀୟ ଟିମ୍ ନେଇ କେନ୍ଦ୍ର ନିକଟକୁ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଏଥିସହ ଓଡ଼ିଶାର ୨୦ ଜଣ ସାଂସଦ ମଧ୍ୟ ଏନେଇ କେନ୍ଦ୍ରରେ ରାଜ୍ୟର ଅଧିକାର ଓ ସ୍ୱାର୍ଥର କଥା ଉଠାଇବେ ବୋଲି ମନ୍ତ୍ରୀ କହିଛନ୍ତି।



