ଜଳ ଭିତ୍ତିଭୂମିରେ ଓଡ଼ିଶାର ବଡ଼ ପଦକ୍ଷେପ: ୨ ବର୍ଷରେ ₹୫୪ ହଜାର କୋଟିର ପ୍ରକଳ୍ପକୁ ମଞ୍ଜୁରୀ
୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା; ଜଳ ଶକ୍ତି ସମିଟ୍ରେ ମୁଖ୍ୟମନ୍ତ୍ରୀଙ୍କ ସଫଳତାର ହିସାବ
ନୂଆଦିଲ୍ଲୀ: କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ବିକାଶରେ ଜଳ ସୁରକ୍ଷା ଓ ଜଳସେଚନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଜଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୫୪,୦୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ବେଳେ ୩.୨ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି।
ନୂଆଦିଲ୍ଲୀରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ବିଭାଗୀୟ ସମିଟ୍ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଜଳ ପରିଚାଳନା ଓ ଭିତ୍ତିଭୂମି ବିକାଶର ଏହି ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି।
ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟଙ୍କ ସମେତ ବିଭିନ୍ନ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
୭୭୦ ନୂଆ ଚେକ୍ ଡ୍ୟାମ୍, ୧୩୧୨ର ପୁନରୁଦ୍ଧାର
ରାଜ୍ୟର ଜଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଏବଂ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ISS) ନିର୍ମାଣ ଶେଷ ହୋଇଛି। ଏଥିସହ ପୁରୁଣା ୧,୩୧୨ଟି ଚେକ୍ ଡ୍ୟାମ୍ର ପୁନରୁଦ୍ଧାର କରାଯାଇଛି।
ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ଦୁଇଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଏବଂ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।
ଆଗକୁ ଆହୁରି ବଡ଼ ପ୍ରକଳ୍ପ
ଆଗାମୀ ବର୍ଷକ ମଧ୍ୟରେ ଆଉ ୧୪ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ଓ ୬ଟି ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯିବ।
ବର୍ତ୍ତମାନ ରାଜ୍ୟରେ ୫ଟି ନୂଆ ମେଜର ଓ ମିଡିଅମ୍ ଜଳସେଚନ ପ୍ରକଳ୍ପ, ୫୮ଟି ମେଗା ଲିଫ୍ଟ ପ୍ରକଳ୍ପ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ରୁତଗତିରେ ଆଗେଇ ଚାଲିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳ ସଂରକ୍ଷଣ, ଭୂତଳ ଜଳ ପରିଚାଳନା ଓ ଜଳସେଚନ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଚାଷୀଙ୍କୁ ଅଧିକ ସୁବିଧା ଦେବା ସହ ଓଡ଼ିଶାର କୃଷି ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।



