ଢେଙ୍କାନାଳରେ ଧୁମଧାମରେ ଅନୁଷ୍ଠିତ ୨ୟ ନବଗୁଞ୍ଜର ନୃତ୍ୟ ଓ ସଙ୍ଗୀତ ମହୋତ୍ସବ–୨୦୨୬

ବିଭିନ୍ନ ଅଞ୍ଚଳରୁ କଳାକାର ଓ ଛାତ୍ରଛାତ୍ରୀଙ୍କ ଯୋଗଦାନ — ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥ ପରମ୍ପରାର ପ୍ରଚାର ପାଇଁ ଅଭିନୟ ଫାଉଣ୍ଡେସନ୍ର ଅଭିନବ ପ୍ରୟାସ
ଢେଙ୍କାନାଳ: ଅଭିନୟ ଫାଉଣ୍ଡେସନ୍, ଢେଙ୍କାନାଳ ପକ୍ଷରୁ ଆୟୋଜିତ ୨ୟ ନବଗୁଞ୍ଜର ନୃତ୍ୟ ଓ ସଙ୍ଗୀତ ମହୋତ୍ସବ–୨୦୨୬ ରବିବାର ଢେଙ୍କାନାଳସ୍ଥିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରରେ ଭବ୍ୟ ଓ ଉତ୍ସବମୁଖର ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ନୃତ୍ୟ, ସଙ୍ଗୀତ ଓ ଓଡ଼ିଶାର ଗୌରବମୟ କଳା-ସଂସ୍କୃତିର ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହ କୁନି କୁନି ପ୍ରତିଭାଙ୍କୁ ଉତ୍ସାହିତ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଗୁରୁ, କଳାକାର, ଛାତ୍ରଛାତ୍ରୀ, ଅଭିଭାବକ ଓ କଳାପ୍ରେମୀମାନେ ଯୋଗଦେଇଥିଲେ।
ମହୋତ୍ସବର ସକାଳ ଅଧିବେଶନରେ ମଧ୍ୟପ୍ରଦେଶ ସମେତ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ରାଉରକେଲା, ଅନୁଗୋଳ, ତାଳଚେର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଆଦି ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ନବଗୁଞ୍ଜର ପ୍ରତିଭା ସମ୍ମାନ–୨୦୨୬’ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସନ୍ଧ୍ୟା ଅଧିବେଶନରେ ପ୍ରଥମେ ଗୁରୁ ଜମିନୀ ରଞ୍ଜନ ଦାସଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଭୋକାଲ୍ ପରିବେଷଣ ହୋଇଥିଲା। ଏହାପରେ ମର୍ଦ୍ଦଳରେ ଆଲୋକ ରଞ୍ଜନ ଦାସ, କଣ୍ଠରେ କୁମାର ରତିକ, ଭାୟୋଲିନ୍ରେ ଜଗବନ୍ଧୁ ନାୟକ, ବଂଶୀରେ କୁମାର ସତ୍ୟ ଓ ହାର୍ମୋନିୟମ୍ରେ କୁମାର ଦେବାଶିଷଙ୍କ ସମନ୍ୱୟରେ ଆକର୍ଷଣୀୟ ଫ୍ୟୁଜନ୍ ପରିବେଷଣ ହୋଇଥିଲା। ଏହି ସଙ୍ଗୀତ ସମନ୍ୱୟ ଦର୍ଶକଙ୍କ ମନ ଜିଣିଥିଲା।
ପରେ କୁମାର ଟୁବୁଲା ଓ ଶ୍ରୀତନୟା ଜେନାଙ୍କ ଦ୍ୱାରା ଓଡ଼ିଶୀ ଯୁଗଳ ନୃତ୍ୟରେ ‘ମଙ୍ଗଳାଚରଣ–ଧ୍ୟାୟୀ ସୁବର୍ଣ୍ଣ ବର୍ଣ୍ଣା’ ପରିବେଷିତ ହୋଇଥିଲା।
ସନ୍ଧ୍ୟାର ବିଶେଷ ଆକର୍ଷଣ — କୁଚିପୁଡ଼ି ନୃତ୍ୟ
ସନ୍ଧ୍ୟାକାଳୀନ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା କୁଚିପୁଡ଼ି ନୃତ୍ୟ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ରାଧେଶ୍ୟାମ ତରେଇଙ୍କ ଦ୍ୱାରା ପରିବେଷିତ ‘ମା ଦୁର୍ଗା’ କୁଚିପୁଡ଼ି ନୃତ୍ୟ ଦର୍ଶକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଅଙ୍ଗଭଙ୍ଗୀ, ଭାବ, ଲୟ ଓ ଅଭିନୟର ଚମତ୍କାର ସମନ୍ୱୟରେ ଏହି ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଏହା ସହିତ ଲିଜାଲିନୀ ପ୍ରଧାନ ଓ ସୁଭଲକ୍ଷ୍ମୀ ରାଉତଙ୍କ ଓଡ଼ିଶୀ ଯୁଗଳ ନୃତ୍ୟ ଏବଂ ଅଭିନୟ ଫାଉଣ୍ଡେସନ୍ର ଜୁନିୟର ଓ ସିନିୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା।
ବିଶିଷ୍ଟ ଅତିଥିଙ୍କ ଯୋଗଦାନ
ସକାଳ ଅଧିବେଶନରେ ଅରବିନ୍ଦ ସାହୁ, ସାମ୍ବାଦିକ, OTV, ଢେଙ୍କାନାଳ; ମାନସ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରତିନିଧି, ‘ସାହାଣ ମେଳା’; ଦିନେଶ ଦାସ, ନାଟ୍ୟ ନିର୍ଦ୍ଦେଶକ; ସସ୍ମିତା ପରିଜା, ଅଧ୍ୟକ୍ଷା, ITI, ଢେଙ୍କାନାଳ ଏବଂ ରାଜଶ୍ରୀ ଶତପଥୀ, ସାମ୍ବାଦିକ, OTV ପ୍ରମୁଖ ଯୋଗଦେଇଥିଲେ।
ସନ୍ଧ୍ୟା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁଧୀର କୁମାର ସାମଲ, ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା, ବିଜୁ ଜନତା ଦଳ ଯୋଗଦେଇଥିଲେ। ଅତିଥି ଭାବେ ଅର୍ଚ୍ଚନା ପୁହାଣ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ଢେଙ୍କାନାଳ; ପ୍ରକାଶ ଚନ୍ଦ୍ର କୁଅଁର, ଉପାଧ୍ୟକ୍ଷ, ଢେଙ୍କାନାଳ ପୌରପାଳିକା ତଥା ସାଧାରଣ ସମ୍ପାଦକ, BJD, ଢେଙ୍କାନାଳ; ଶତ୍ରୁଘ୍ନ ମାଟି, ବ୍ୟଙ୍ଗ କବି, ନାଟ୍ୟକାର ତଥା ଲଳିତ କଳା ଏକାଡେମୀର ସଦସ୍ୟ; ପଲି ସରକାର, ପ୍ରତିଷ୍ଠାତା, Kalinga Virti Preserving Culture Legacy, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଏବଂ ମୁଖ୍ୟ ବକ୍ତା ଭାବେ ପରେଶ ଚନ୍ଦ୍ର ପଟ୍ଟନାୟକ, ଶିଳ୍ପୀ, ନାଟ୍ୟକାର ତଥା ଲଳିତ କଳା ଏକାଡେମୀର ସଦସ୍ୟ ଉପସ୍ଥିତ ଥିଲେ।
ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନ
ମହୋତ୍ସବ ଅବସରରେ କଳା ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା। ଅଭିନୟ ଗୁରୁଶ୍ରୀ ଆୱାର୍ଡ–୨୦୨୬’ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକଙ୍କୁ ପ୍ରଦାନ କରାଯାଇଥିଲା। ‘ନବଗୁଞ୍ଜର ନୃତ୍ୟ ପ୍ରେରଣା ଆୱାର୍ଡ–୨୦୨୬’ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀନାକ୍ଷୀ ରାଣୀ ଜେନାଙ୍କୁ ଏବଂ ‘ଅଭିନୟ ସୋସିଆଲ୍ ଏକ୍ସେଲେନ୍ସ ଆୱାର୍ଡ–୨୦୨୬’ ଢେଙ୍କାନାଳର ବଜରଙ୍ଗ କ୍ଲବ୍କୁ ପ୍ରଦାନ କରାଯାଇଥିଲା।
ଢେଙ୍କାନାଳ ମାଟିରୁ ନୂଆ କଳାକାର ଗଢ଼ିବା ଲକ୍ଷ୍ୟ
ଏହି ମହୋତ୍ସବର ସଫଳତା ପଛରେ ଅଭିନୟ ଫାଉଣ୍ଡେସନ୍ର ସଭାପତି ସୁଚିସ୍ମିତା ମାନ୍ନା ଓ ସମ୍ପାଦିକା ରଶ୍ମିତା ପଟେଲଙ୍କ ନିଷ୍ଠା, ଦୃଢ଼ ସଂକଳ୍ପ ଓ ସୁଦୃଢ଼ ନେତୃତ୍ୱର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଉଭୟଙ୍କର ଏକ ସ୍ପଷ୍ଟ ଓ ଦୂରଦର୍ଶୀ ଲକ୍ଷ୍ୟ ରହିଛି—ଢେଙ୍କାନାଳ ମାଟିରୁ ଓଡ଼ିଶାର କଳା, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ଆହୁରି ଉଚ୍ଚସ୍ତରକୁ ନେବା। ବିଶେଷକରି କୁନି କୁନି ପିଲାମାନଙ୍କ ମନରେ ନିଜ ମାଟି, ନିଜ କଳା ଓ ନିଜ ସଂସ୍କୃତି ପ୍ରତି ଭଲପାଇବା ସୃଷ୍ଟି କରିବା, ସେମାନଙ୍କ ଭିତରେ ଲୁଚିଥିବା ପ୍ରତିଭାକୁ ଚିହ୍ନଟ କରି ତାହାକୁ ଉପଯୁକ୍ତ ମାର୍ଗଦର୍ଶନ ଦେବା ଏବଂ ଭବିଷ୍ୟତର ସୁଯୋଗ୍ୟ କଳାକାର ଭାବେ ଗଢ଼ିତୋଳିବା ଅଭିନୟ ଫାଉଣ୍ଡେସନ୍ର ମୁଖ୍ୟ ଲକ୍ଷ୍ୟ।
ଏଥିସହ ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ପରମ୍ପରା ଓ ଓଡ଼ିଶାର ଗୌରବମୟ କଳା ଐତିହ୍ୟର ପ୍ରଚାର ଓ ପ୍ରସାର କରି ଆଗାମୀ ପିଢ଼ିକୁ ନିଜ ମାଟି ଓ ନିଜ ସଂସ୍କୃତି ସହ ଯୋଡ଼ି ରଖିବା ପାଇଁ ଅନୁଷ୍ଠାନ ନିରନ୍ତର ପ୍ରୟାସ କରୁଛି।
“ଢେଙ୍କାନାଳରୁ କଳାର ଏକ ନୂଆ ପିଢ଼ି ଗଢ଼ିବା, ଓଡ଼ିଶାର ସଂସ୍କୃତିକୁ ଆଗକୁ ନେବା ଏବଂ ଜଗନ୍ନାଥ ସଂସ୍କୃତିର ମହିମାକୁ ଦେଶ-ବିଦେଶରେ ପହଞ୍ଚାଇବା ଆମର ସଂକଳ୍ପ।” — ଅନୁଷ୍ଠାନର ନେତୃତ୍ୱ ପକ୍ଷରୁ ପ୍ରକାଶ କରାଯାଇଛି।
ସମଗ୍ର କାର୍ଯ୍ୟକ୍ରମର ମଞ୍ଚ ସମନ୍ୱୟ ଦାୟିତ୍ୱ ଚନ୍ଦନ କୁମାର ନାୟକ ତୁଲାଇଥିଲେ। ଅଭିନୟ ଫାଉଣ୍ଡେସନ୍ର ସଦସ୍ୟ ଅବନ୍ତୀ ସାହୁ, ସସ୍ମିତା ସରକାର, ବନ୍ଦନା ବାରିକ, ସନ୍ତାନୁ ବେହେରା,ରାଧିକା ବେହେରା, ସୁଚିସ୍ମିତା ସାମଲ ଓ ରାଜେଶ ପରିଜାଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସ୍ୱେଚ୍ଛାସେବୀ ଭାବେ ନୈନା ପରିଜା ଓ ବିଶାଲ ବାରିକ ମଧ୍ୟ ନିଷ୍ଠାର ସହ ସହଯୋଗ କରିଥିଲେ।
ମଞ୍ଚ ଆଲୋକସଜ୍ଜାରେ ଭୁବନେଶ୍ୱରର ବିକାଶ କୁମାର ପ୍ରଧାନଙ୍କ ସହଯୋଗ ରହିଥିବା ବେଳେ ସାଉଣ୍ଡ ବ୍ୟବସ୍ଥାରେ ରାକେଶ ସହଯୋଗ କରିଥିଲେ। କ୍ୟାମେରା ଓ ଭିଡିଓ ଦାୟିତ୍ୱ LIPU PHOTOGRAPHY ତୁଲାଇଥିଲା।
ମହୋତ୍ସବର ସଫଳତା ପାଇଁ ଅଭିନୟ ଫାଉଣ୍ଡେସନ୍ର “ନିର୍ଦ୍ଦେଶକ ଓ ମୁଖ୍ୟ ସମନ୍ୱୟକ” ତଥା ବିଶିଷ୍ଟ ମର୍ଦ୍ଦଳ ବାଦକ ଆଲୋକ ରଞ୍ଜନ ଦାସ ସମସ୍ତ ଅତିଥି, ଗୁରୁ, କଳାକାର, ଛାତ୍ରଛାତ୍ରୀ, ଅଭିଭାବକ, ସ୍ୱେଚ୍ଛାସେବୀ, ମିଡିଆ ବନ୍ଧୁ, ସହଯୋଗୀ ଓ ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି ଯେ, ସମସ୍ତଙ୍କର ଭଲପାଇବା, ଆଶୀର୍ବାଦ, ସହଯୋଗ ଓ ଉତ୍ସାହ ହିଁ ଏହି ମହୋତ୍ସବର ସଫଳତାର ପ୍ରମୁଖ ଆଧାର। ବିଭିନ୍ନ ଅଞ୍ଚଳରୁ ଆସି ନିଜ କଳା ପ୍ରତିଭା ମାଧ୍ୟମରେ ମହୋତ୍ସବକୁ ସମୃଦ୍ଧ କରିଥିବା ସମସ୍ତ କଳାକାର ଓ ଛାତ୍ରଛାତ୍ରୀଙ୍କୁ ସେ ବିଶେଷ ଧନ୍ୟବାଦ ଜଣାଇଛନ୍ତି।
ଅଭିନୟ ଫାଉଣ୍ଡେସନ୍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିରନ୍ତର ସହଯୋଗ ପାଇଁ ମଧ୍ୟ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଢେଙ୍କାନାଳ ମାଟିରୁ ଓଡ଼ିଶାର କଳା, ସଂସ୍କୃତି ଓ ଜଗନ୍ନାଥ ପରମ୍ପରାକୁ ଆହୁରି ଉଚ୍ଚସ୍ତରକୁ ନେବା ପାଇଁ ସମସ୍ତଙ୍କର ଏହିପରି ସ୍ନେହ, ସହଯୋଗ ଓ ଆଶୀର୍ବାଦ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
“ଆପଣମାନଙ୍କର ସ୍ନେହ, ଆଶୀର୍ବାଦ ଓ ସହଯୋଗ ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଏହି ଶକ୍ତିକୁ ନେଇ ଆମେ ଢେଙ୍କାନାଳରୁ ଓଡ଼ିଶାର କଳା ଓ ସଂସ୍କୃତିର ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାକୁ ଆଗେଇ ଚାଲିବୁ।”



