ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ୍ ନେବାକୁ ଶ୍ରୀଲଙ୍କାର ଆଗ୍ରହ!
ରାଜନାଥଙ୍କ ଶ୍ରୀଲଙ୍କା ଗସ୍ତରେ ୩ ନୂଆ MoU ଉପରେ ଆଲୋଚନା ସମ୍ଭାବନା
ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପର ସଙ୍କେତ ମିଳିଛି। ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୮ରୁ ୧୦ ତାରିଖ ଯାଏଁ ଶ୍ରୀଲଙ୍କା ଗସ୍ତ କରିବେ। ଏହି ତିନିଦିନିଆ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ପର୍କିତ ତିନୋଟି ନୂଆ ବୁଝାମଣା ପତ୍ର (MoU) ନେଇ ଆଲୋଚନା ହୋଇପାରେ।
ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ଶ୍ରୀଲଙ୍କାକୁ ଭାରତୀୟ ଏୟାର ଡିଫେନ୍ସ ଅସ୍ତ୍ର ଓ ପ୍ରଣାଳୀ ଯୋଗାଣ। ଆକାଶମାର୍ଗରୁ ଆସୁଥିବା ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଭାରତ ନିର୍ମିତ ଏୟାର ଡିଫେନ୍ସ ଗନ୍ ଏବଂ ଆକାଶ ଏୟାର ଡିଫେନ୍ସ ସିଷ୍ଟମ୍ ଭଳି ସ୍ୱଳ୍ପ ଓ ମଧ୍ୟମ ଦୂରଗାମୀ ପ୍ରତିରକ୍ଷା ପ୍ରଣାଳୀ ପ୍ରତି ଶ୍ରୀଲଙ୍କା ଆଗ୍ରହ ଦେଖାଇଥିବା ଜଣାପଡ଼ିଛି।
ତାଲିମ ଓ କ୍ଷମତା ବୃଦ୍ଧି ଉପରେ ମଧ୍ୟ ଫୋକସ୍
ପ୍ରତିରକ୍ଷା ସହଯୋଗର ଅନ୍ୟ ଦୁଇଟି ପ୍ରସ୍ତାବ ଶ୍ରୀଲଙ୍କା ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ତାଲିମ ଏବଂ କ୍ଷମତା ବୃଦ୍ଧି ସହ ଜଡ଼ିତ ବୋଲି ସୂଚନା ମିଳିଛି। ଏହା ମାଧ୍ୟମରେ ଶ୍ରୀଲଙ୍କାର ସୁରକ୍ଷା ବାହିନୀଙ୍କ ପ୍ରଶିକ୍ଷଣ ଓ ପ୍ରତିରକ୍ଷା କ୍ଷମତାକୁ ଆହୁରି ବିକଶିତ କରିବା ଲକ୍ଷ୍ୟ ରହିପାରେ।
ରାଜନାଥ ସିଂହଙ୍କ ଗସ୍ତ କେବଳ ନୂଆ ଚୁକ୍ତି ଆଲୋଚନାରେ ସୀମିତ ରହିବ ନାହିଁ। ଗତବର୍ଷ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀଲଙ୍କା ଗସ୍ତ ସମୟରେ ସ୍ୱାକ୍ଷରିତ ୫ ବର୍ଷିଆ ବ୍ୟାପକ ପ୍ରତିରକ୍ଷା ସହଯୋଗ ଚୁକ୍ତିର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ସମୀକ୍ଷା ହେବାର ସମ୍ଭାବନା ରହିଛି।
ଅନୁରା ଦିସାନାୟକେଙ୍କ ସହ ଆଲୋଚନା
ଗସ୍ତ କାଳରେ ରାଜନାଥ ସିଂହ ଶ୍ରୀଲଙ୍କାର ରାଷ୍ଟ୍ରପତି ତଥା ପ୍ରତିରକ୍ଷାମନ୍ତ୍ରୀ ଅନୁରା କୁମାରା ଦିସାନାୟକେଙ୍କ ସହ ସାକ୍ଷାତ କରିବେ। ଏହି ଆଲୋଚନାରେ ଦୁଇ ଦେଶର ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ, ଆଞ୍ଚଳିକ ସୁରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇପାରେ।
ରାଜନାଥ ସିଂହଙ୍କ ଏହି ଗସ୍ତ ଭାରତର ‘ନେବରହୁଡ୍ ଫାଷ୍ଟ’ ନୀତି ଅଧୀନରେ ଶ୍ରୀଲଙ୍କା ସହ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ଗଭୀର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ।



