ଶିକ୍ଷକଙ୍କ ସମସ୍ୟା ସମାଧାନ ନେଇ ସରକାରଙ୍କୁ କମିଟିର ରିପୋର୍ଟ
୧୦୪ ଶିକ୍ଷକ ସଂଘ ସହ ଆଲୋଚନା, ୯୦ ବୈଠକ ପରେ ୭୯ ରିପୋର୍ଟ; ସୁପାରିଶ ଉପରେ ନିଷ୍ପତ୍ତି ନେବେ ସରକାର
ଭୁବନେଶ୍ୱର: ରାଜ୍ୟର ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା, ଦାବି ଓ ଅଭିଯୋଗର ସମାଧାନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଶେଷରେ ସରକାରଙ୍କୁ ତା’ର ରିପୋର୍ଟ ପ୍ରଦାନ କରିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ସୁପାରିଶ ଉପସ୍ଥାପନ କରାଯାଇଛି।
ପ୍ରାଥମିକଠାରୁ ଆରମ୍ଭ କରି ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷକମାନଙ୍କ ସମସ୍ୟା ଉପରେ କମିଟି ଅନୁଧ୍ୟାନ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨୦୨୫ ଡିସେମ୍ବର ୬ରେ କମିଟି ଗଠିତ ହୋଇଥିବା ବେଳେ ୨୦୨୬ ଫେବୃଆରୀ ୩ରେ ଏହାର ପୁନର୍ଗଠନ କରାଯାଇଥିଲା।
କମିଟିର ଅଧ୍ୟକ୍ଷ ଅଶୋକ ତ୍ରିପାଠୀ ଓ ସହ-ଅଧ୍ୟକ୍ଷ ସୁଦର୍ଶନ ନାୟକ ବୈଠକରେ କମିଟିର ସୁପାରିଶଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ, ଶିକ୍ଷକଙ୍କ ବିଭିନ୍ନ ବର୍ଗର ୧୦୪ଟି ସଂଘ କମିଟି ସହ ଆଲୋଚନା କରିଥିବା ବେଳେ ମୋଟ ୯୦ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାସହ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କମିଟିର ସୁପାରିଶଗୁଡ଼ିକୁ ସରକାର ଅନୁଧ୍ୟାନ କରିବା ପରେ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ଫଳରେ ଶିକ୍ଷକ ସମାଜର ବିଭିନ୍ନ ଦାବି ଓ ସମସ୍ୟା ଉପରେ ସରକାରୀ ସ୍ତରରେ ଆଗାମୀ ଦିନରେ ନିଷ୍ପତ୍ତି ନେବାର ପଥ ପ୍ରସ୍ତୁତ ହୋଇଛି।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଉଚ୍ଚଶିକ୍ଷା ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ସଚିବମାନେ ଉପସ୍ଥିତ ଥିଲେ।
କମିଟିର ସଦସ୍ୟ ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ସନାତନ ପଣ୍ଡା ମଧ୍ୟ ବୈଠକରେ ଯୋଗ ଦେଇଥିଲେ।



