୧୧ଶ ଜାତୀୟ ଆୟୁର୍ବେଦ ଦିବସ ଉପଲକ୍ଷେ ସନ୍ତ୍ରୀଠାରେ ଯୋଗ ଓ ଧ୍ୟାନ ଶିବିର ଅନୁଷ୍ଠିତ

ଅନୁଗୋଳ: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟୋଜନାରେ ଅନୁଗୋଳ ଜିଲ୍ଲା ସନ୍ତ୍ରୀଠାରେ ୧୧ଶ ଜାତୀୟ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ଆୟୁର୍ବେଦ ସହ ସୁସ୍ଥ ଶିଶୁ, ସୁସ୍ଥ ରାଷ୍ଟ୍ର” ଏବଂ “ଏକ ସୁସ୍ଥ ଆଗାମୀ କାଲି ପାଇଁ ଆୟୁର୍ବେଦ” ବାର୍ତ୍ତାକୁ ନେଇ ଏକ ସ୍ୱତନ୍ତ୍ର ଯୋଗ ଓ ଧ୍ୟାନ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ (Ayurvedic Medical Officer) ଡାକ୍ତର ଦମୟନ୍ତୀ ରାଉଳ ଯୋଗ ଦେଇ ନିରୋଗ ଜୀବନ ବଞ୍ଚିବା ପାଇଁ ଆୟୁର୍ବେଦ ପଦ୍ଧତି, ନିୟମିତ ଯୋଗ ଓ ଧ୍ୟାନର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ସେହିପରି ଆୟୁର୍ବେଦିକ ସହାୟକ (Ayurvedic Assistant) ଚିନ୍ମୟ ତ୍ରିପାଠୀଙ୍କ ସମେତ ରାମକାନ୍ତ ପାଇକ, ଜିତେନ୍ଦ୍ରିୟ ଗଡ଼ନାୟକ ଏବଂ ଶଶାଙ୍କ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଶିବିରରେ ଉପସ୍ଥିତ ଲୋକମାନଙ୍କୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗାଭ୍ୟାସକୁ ସାମିଲ କରିବା ସହିତ ପାରମ୍ପରିକ ଆୟୁର୍ବେଦିକ ଉପଚାର ଗ୍ରହଣ କରି ଶାରୀରିକ ତଥା ମାନସିକ ଭାବେ ସୁସ୍ଥ ରହିବାକୁ ପରାମର୍ଶ ଦିଆଯାଇଥିଲା।




