ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଚୋରି: ତାଲା ଭାଙ୍ଗି ନେଇଗଲେ ଚିକିତ୍ସା ଉପକରଣ, ରୋଗୀ ହେଲେ ହଇରାଣ
ଅନୁଗୋଳ/ବଅଁରପାଳ, ୨୨/୯ (ଜାଗ୍ରତ ଭାରତ ନ୍ୟୁଜ୍):
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚୋରି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁର୍ବୃତ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଏକାଧିକ ମୂଲ୍ୟବାନ ଚିକିତ୍ସା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ବେଳେ କିଛି ଉପକରଣକୁ ଭଙ୍ଗାରୁଜା କରିଛନ୍ତି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ କରି ଘରକୁ ଫେରିଥିଲେ। ରବିବାର ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ରହିଥିଲା। ସୋମବାର କର୍ମଚାରୀମାନେ କେନ୍ଦ୍ର ଖୋଲିବାକୁ ଆସିବା ପରେ ମୁଖ୍ୟ ଗେଟ୍ର ତାଲା ଭଙ୍ଗା ଥିବା ଦେଖିଥିଲେ। ଭିତରକୁ ପ୍ରବେଶ କରିବା ପରେ ଘରର ସାମଗ୍ରୀ ଏଣେତେଣେ ପଡ଼ିଥିବା ସହ ବହୁ ଜିନିଷ ନଥିବା ଜଣାପଡ଼ିଥିଲା।
ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଇନଭର୍ଟର, ବ୍ୟାଟେରି, କମ୍ପ୍ୟୁଟର ମନିଟର, ବିପି ମେସିନ୍, ଏଚ୍ବି ମେସିନ୍, ଗ୍ଲୁକୋମିଟର, ଆକ୍ୱାଗାର୍ଡ, ଓଜନ ମେସିନ୍, ଚେୟାର ଓ ପ୍ରିଣ୍ଟର ଆଦି ରହିଛି। ଏହାସହ ଦୁର୍ବୃତ୍ତମାନେ କିଛି ଚିକିତ୍ସା ଉପକରଣ ଭାଙ୍ଗି ଦେଇଥିବା ବେଳେ ଡାଇଗ୍ନୋଷ୍ଟିକ୍ କିଟ୍, ଖାତାବହି ଓ ଅନ୍ୟାନ୍ୟ ସାମଗ୍ରୀକୁ ଏଣେତେଣେ ଫିଙ୍ଗି ଦେଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବଅଁରପାଳ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଚୋରି ଘଟଣାରେ କେତେ ପରିମାଣର ସାମଗ୍ରୀ ନଷ୍ଟ କିମ୍ବା ଚୋରି ହୋଇଛି, ତାହାର ଆକଳନ କରାଯାଉଛି।
ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକୀୟ ଉପକରଣ ଚୋରି ଓ ଭଙ୍ଗାରୁଜା ହେବା ଯୋଗୁଁ ସୋମବାର ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଶୀଘ୍ର ଚିହ୍ନଟ କରି ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।



