ଛେଣ୍ଡିପଦା ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ।
ଅନୁଗୋଳ ତା, ୨୯-୦୫ : ଆଜି ପୂର୍ବାହ୍ନରେ ଛେଣ୍ଡିପଦା ବ୍ଳକ୍ କାର୍ଯ୍ୟାଳୟଠାରେ ମିଳିତ ଜନ ଶୁଣାଣି ଶିବିର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ । ହୋଇଥିବା ସମୁଦାୟ ୯୨ଟି ଅଭିଯୋଗରୁ ୭୬ଟି ବ୍ୟକ୍ତିଗତ ଓ ୧୬ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହାଛଡା ଦାଖଲ ହୋଇଥିବା ୯୨ଟି ଅଭିଯୋଗ ମଧ୍ୟରୁ ୨୦ଟି ଅଭିଯୋଗର ଆଜିର ଶିବିରରେ ତୁରନ୍ତ ଫଇସଲା କରାଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୧ଜଣ ଦିବ୍ୟାଙ୍ଗଙ୍କୁ ଚିକିତ୍ସା ନିମନ୍ତେ ଯାତାୟାତ ଖର୍ଚ୍ଚ ବାବଦରେ ଚେକ୍ ଆକାରରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଶିବିରକୁ ଆସିଥିବା ଲୋକମାନେ ଜମିଜମା ବିବାଦ,ରାସ୍ତା ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା,ପାନୀୟ ଜଳଯୋଗାଣ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ । ଏହି ଶିବିରରେ ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା, ଛେଣ୍ଡିପଦା ତହସିଲଦାର ଶ୍ରୀ ମାନସ ରଞ୍ଜନ ରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିବିକ୍ରମ କୁମୁରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।





