ଠିକାଦାରଙ୍କୁ ଦାଦାବଟି ମାଗୁଥିଲେ
“କିଙ୍ଗ ଅଫ୍ ଫରେଷ୍ଟ୍’ ର ଆଉ ଦୁଇ ସଦସ୍ୟ ଗିରଫ
ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ଜବତ
ମାଷ୍ଟରମାଇଣ୍ଡ୍ ରାକେଶ ନାଥ ଏବେ ବି ଫେରାର

ଢେଙ୍କାନାଳ,୮ା୭: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ରଚିଥିବା “କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗର ଆଉ ୨ ସଦସ୍ୟଙ୍କୁ ପୁଲିସ ବାନ୍ଧିଛି l ସେମାନେ ହେଲେ କାଳିଆପାଣି ଥାନା ଟାଟାମାଇନ୍ସ ରାଂସୋଳ ଅଞ୍ଚଳର ରାକେଶ ବେହେରା (୨୨) ଓ ରସୋଳ ଥାନା ସରତ ଗ୍ରାମର ପପୁ ଓରଫ ପୂର୍ଣ୍ଣଚନ୍ଦ୍ର ଦାସ (୨୫) l ସେମାନଙ୍କ ଠାରୁ ୨ ରାଉଣ୍ଡ୍ ଗୁଳିଭର୍ତ୍ତି ଦେଶୀପିସ୍ତଲକୁ ଜବତ କରାଯାଇଛି ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ଠିକାଦାର ଭୂପେଶ ଚନ୍ଦ୍ର ମହାପାତ୍ରଙ୍କ ଠାରୁ ଗତ ୨ଠ୨୨ ନଭେମ୍ବର ୨୫ ତାରିଖରେ ୫ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ l ନିଜକୁ “କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗ୍ ସଦସ୍ୟ ଓ ରାକେଶ ନାଥ ମୁଖ୍ୟ ବୋଲି ପରିଚୟ ଦେଇଥିଲେ l ନେତା ଓ ଠିକାଦାରମାନଙ୍କଠାରୁ ଧମକଚମକ ଦେଇ ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ଦାଦାବଟି ଆଦାୟ କରୁଥିଲେ । ଗ୍ୟାଙ୍ଗ୍ର ମୁଖ୍ୟ ତଥା ମାଷ୍ଟରମାଇଣ୍ଡ୍ ହେଉଛି ରାକେଶ ନାଥ । ସେ ଏବେ ବି ଫେରାର ରହିଛି l “କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗ୍ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି l ପୂର୍ବରୁ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଏହି ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତ ରହିଥିଲେ l ଗତ ଜୁନ ୨୨ ତାରିଖ ଦିନ କାମାକ୍ଷାନଗର ଥାନା ଆଳୁତୁମା ଗ୍ରାମର ସୁବାଷ ଖୁଣ୍ଟିଆ, କାମାକ୍ଷାନଗର ଅଞ୍ଚଳର ଟିଟନ ଓରଫ୍ ଶୁଭ୍ରାଂଶୁ ନାଏକ, ଗୁଡୁ ଓରଫ୍ ଲିପନ୍ ରାଉତ ଏବଂ ଅନିଲ କୁମାର ନାଏକଙ୍କୁ ପୁଲିସ ଗିରଫ କରିଥିଲା । ଫେରାର ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଢେଙ୍କାନାଳ ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ଶନିବାର ରାତି ୮ ଘଟିକାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କାମାକ୍ଷାନଗର ଉପଖଣ୍ଡରେ ବିଭନ୍ନ ସରକାରୀ ପ୍ରକଳ୍ପର କାମ ଚାଲିଛି । ଏହିସବୁ ପ୍ରକଳ୍ପରେ ଅନେକ ଠିକାଦାର ନିୟୋଜିତ ରହିଛନ୍ତି । ଗତ କିଛିଦିନ ଧରି ଏହି ଅଞ୍ଚଳରେ “କିଙ୍ଗ୍ ଅଫ୍ ଫରେଷ୍ଟ’ ନାମକ ଏକ ଗ୍ୟାଙ୍ଗ୍ ଗଠିତ ହୋଇଛି । କାମାକ୍ଷାନଗର ଅଞ୍ଚଳର ରାକେଶ ନାଥ ଏହି ଗ୍ୟାଙ୍ଗ୍ର ମୁଖ୍ୟ ହୋଇଥିବାବେଳେ ପ୍ରାୟ ୨୫ରୁ ଉଦ୍ଧ୍ୱର୍ ଯୁବକ ଏଥିରେ ସାମିଲ ରହିଛନ୍ତି । ବିଭିନ୍ନ ପ୍ରକଳ୍ପରେ ନିୟୋଜିତ ଠିକାଦାରମାନଙ୍କଠାରୁ ବଟି ଆଦାୟ ଏମାନଙ୍କର ମୁଖ୍ୟ କାମ ଥିଲା । ଏଥିସହ ନେତାମାନେ ମଧ୍ୟ ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ବିଭିନ୍ନ ଠିକାଦାରୀ କାମ କରୁଥିବାରୁ ଏହି ଗ୍ୟାଙ୍ଗ୍କୁ ଚାନ୍ଦା ଦେଇଥାନ୍ତି । ପ୍ରତିମାସରେ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ଏହି ଗ୍ୟାଙ୍ଗ୍କୁ ଚାନ୍ଦା ମିଳିଥାଏ । ରାକେଶ ଘଟଣାର ମାଷ୍ଟର୍ମାଇଣ୍ଡ୍ ଥିବାବେଳେ ଆହୁରି ୧୮ରୁ ଉଦ୍ଧ୍ୱର୍ ଏହି ଗ୍ୟାଙ୍ଗ୍ର ସଦସ୍ୟ ଫେରାର ରହିଛନ୍ତି ।




