ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଅନୁଗୋଳ,ତା. ୨୨.୧୦:- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯିବ । ସପ୍ତାହର ପ୍ରଥମ ଦିନ ଅକ୍ଟୋବର ୨୮ ତାରିଖରେ ସକାଳ ୧୧ ଘଟିକା ସମୟରେ ସମସ୍ତ ସରକାରୀ କର୍ମଚାରୀ, ନିର୍ବାଚିତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ସ୍ବାସ୍ଥ୍ୟ କର୍ମୀ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷକ ଶିକ୍ଷୟତ୍ରୀମାନେ ଶପଥ ପାଠ କରିବେ । ସେହିପରି ଏହି ସପ୍ତାହ ପାଳନ ଅବସରରେ ବହୁ ସଂଖ୍ୟାରେ ଜନସଚେତନତା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ରାଲି, ଓ୍ବାକାଥନ, ପଥପ୍ରାନ୍ତ ନାଟକ, ଗ୍ରାମ ସଭା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତ ନିଆଯାଇଥିଲା । ଛାତ୍ର ଛାତ୍ରୀମାନଂକ ମଧ୍ୟରେ ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯିବ । ତୃଣମୂଳ ସ୍ତରରେ ବ୍ୟାପକ ଜନ ସଚେତନତା ନିମନ୍ତେ ପ୍ରତି ବ୍ଳକ୍ ଓ ଗ୍ରାମପଞ୍ଚାୟତ ସ୍ତରରେ ସମ୍ପୃକ୍ତ ଗୋଷ୍ଠୀ ଊନ୍ନୟନ ଅଧିକାରୀଙ୍କ ତତ୍ତ୍ବାବଧାନରେ ସଚେତନତା ରାଲି ଓ ଗ୍ରାମ ସଭା ଅନୁଷ୍ଠିତ କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଥିବା ଭିଡିଓକୁ କେବୁଲ ଅପରେଟର ଓ ସିନେମା ହଲ ଗୁଡିକରେ ପ୍ରସାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତ ନିଆଗଲା । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଭିଜିଲାନସ ଡି ଏସ୍ ପି ଶ୍ରୀ ପ୍ରଦୀପ କୁମାର ସାମଲ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ଜିଲ୍ଲା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।



