*କୃଷକମାନଙ୍କ ଦୁଃଖ ବୁଝିବା ପାଇଁ ପ୍ରଶାସନ ନିକଟରେ ଆନ୍ତରିକତାର ଅଭାବ

ବରଗଡ:୨/୬(ପବିତ୍ର ମେହେର) ବରଗଡ ଜିଲ୍ଲାରେ ଦୀର୍ଘ ଏକ ମାସ ହେବ ଲଗାଣ ବର୍ଷା ହେବା ଯୋଗୁଁ କୃଷକମାନେ ଅସହାୟ ହୋଇ ପଡିଛନ୍ତି ।ପ୍ରଶାସନିକ ଅଧିକାରୀ ହେଉ କି ଜନ ପ୍ରତିନିଧି କେହି ଜଣେ ମଧ୍ୟ କ୍ଷେତ୍ର ପରିଦର୍ଶନ ନ କରିବା ସମସ୍ତଙ୍କୁ ଚକିତ କରୁଛି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରୀ ନିର୍ଦେଶିକା ଅନୁସାରେ କ୍ଷୟକ୍ଷତି ହେବାର ୪୮ଘଣ୍ଟା ମଧ୍ୟରେ ଆଖିଦେଖା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଇବା ପାଇଁ ନିର୍ଦେଶ ଅଛି। ହେଲେ ଠିକ ଭାବରେ କେଉଁ ଅଞ୍ଚଳରେ କେତେ ପରିମାଣ ର କ୍ଷୟକ୍ଷତି ହୋଇଛି ରିପୋର୍ଟ ସଂଗ୍ରହ ହୋଇପାରିନାହିଁ। ଗୋଟିଏ ହେଲେ ଜିଲ୍ଲାସ୍ତରୀୟ ରିଭିୟୁ ମିଟିଙ୍ଗ ବସି ନ ଥିବା ସୂଚନା ମିଳିଛି। ଏଠାରେ ପ୍ରକାଶ ଥାଉକି ବରଗଡ଼ ଜିଲ୍ଲାରେ ରବି ଋତୁରେ ୧ଲକ୍ଷ ୪୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ। କିନ୍ତୁ ଠିକ ଅମଳ ସମୟରେ ଲଘୁଚାପ ଜନିତ କାଳ ବୈଶାଖୀ ଅଦିନିଆଁ ବର୍ଷା ସାଙ୍ଗକୁ ୧୫ଦିନ ଆଗୁଆ ମୌସୁମୀ ବର୍ଷା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଅଛି। ଗୋଟିଏ ଦିନ ବରପାଲି ବ୍ଲକରେ ୫୨ ମିମି ଅତାବିରା ବ୍ଲକ ରେ ୬୭ ମିମି ଏବଂ ଭଟଲି ବ୍ଲକ ରେ ୭୪ ମିମି ବରଗଡ଼ ବ୍ଲକ ରେ ୧୦୨ ମିମି଼ ବର୍ଷା ହୋଇଥିବା ବେଳେ ମେ ମାସରେ ହାରାହାରି ୨୭ ମିମି ବର୍ଷା ସ୍ଥଳେ ୧୨୨ ମିମି ବର୍ଷାକୁ ମାତ୍ରାଧିକ ବର୍ଷା ବୋଲି ପାଣିପାଗ ବିଭାଗ ଘୋଷଣା କରିଛି। ଯାହା ଫଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସତର୍କ ଦେଇଥିବା ବେଳେ ସରକାର ସମସ୍ତ ପ୍ରସ୍ତୁତି କରିଥିବା ବାହାସ୍ଫୋଟ ବ୍ୟତୀତ ଆଉ କିଛି ନୁହେଁ। ଜମିରେ ହେଉ କି ମଣ୍ଡିରେ ଧାନ ଭିଜି ଗଜା ହୋଇଗଲାଣି।ସବୁଦିନ ଭଳି ଆଜି ମଧ୍ୟ ସଂଯୁକ୍ତ କୃଷକ ସଂଗଠନର ସଦସ୍ୟ ଏବଂ ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କୁ ତିନି ଦଫା ଦାବିପତ୍ର ଦେଇଛନ୍ତି। ଜିଲ୍ଲାରେ ଧାନକିଣାକୁ ତ୍ୱରାନ୍ୱିତ କରି କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନପୁଟ ସବସିଟି ଦେବାର ବ୍ୟବସ୍ଥା କରାଯାଉ,ବୀମା କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯାଉ ବୋଲି ଉଲ୍ଲେଖ ରହିଛି। ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର, ସୁରେଶ ,ପ୍ରଶାନ୍ତ ସାହୁ, ସୋହେଲାର ରବିଶଙ୍କର ପଧାନ, ଲୋକେଶ୍ୱର ସାହୁ, ପ୍ରକାଶ ଭୋଇ, ଅବନୀକାନ୍ତ ପଧାନ, ଭଟଲି ବ୍ଲକର ଥବିର ସାହୁ, ଶାନ୍ତନୁ ମାଝୀ, ଅନନ୍ତ ଖମାରୀ, ଦିଲୀପ ସାହୁ, ଭେଡେନ ବ୍ଲକର ସୁଦାମ ପାତ୍ର, ଭିଜନ ପାଢ଼ୀ, ମୋତିଲାଲ ମହାକୁଡ଼, ଲୋକନାଥ ଦାଶ, ଚୂଡ଼ାମଣି ଛନ୍ଦ, ବରପାଲି ବ୍ଲକର ତପନ ମିଶ୍ର, ଟେକରାଜ ପଧାନ ସମେତ କେବାଡ ଗ୍ରାମବାସୀଙ୍କ ମଧ୍ୟରେ ହେମରାଜ ସା, ଯୁଧିଷ୍ଠିର ମେହେର, ବିଶ୍ୱନାଥ ନାଏକ, ଚନ୍ଦ୍ରଭାନୁ ଭୋଇ, ଭୁବନେଶ୍ୱର ବଢ଼େଇ, ଭଗବାନ ମଟରୀ, ଗିରିଧାରୀ ନାଏକ, ରାଧେଶ୍ୟାମ ଦଣ୍ଡକାର ଏବଂ ଶହ ଶହ ଚାଷୀ ଯୋଗ ଦେଇଥିଲେ।




