ଢେଙ୍କାନାଳରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ
ଢେଙ୍କାନାଳ : 10/03: ଜନସାଧାରଣଙ୍କୁ ଶ୍ରୀମନ୍ଦିର ଦର୍ଶନର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ଢ଼େଙ୍କାନାଳ ମିନି ଷ୍ଟାଡିୟମଠାରେ ଭବ୍ୟ ଭାବରେ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତମାନଙ୍କୁ ପୁରୀରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ବସ୍ ଯୋଗେ ଯାତ୍ରାରେ ପଠାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ଭାବେ ଶ୍ରୀ ନବ କିଶୋର ଗୁରୁ, ମାନ୍ୟବର ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣିଙ୍କ ପ୍ରତିନିଧି ଭାବେ ଶ୍ରୀ ନରେଶ ମହାପାତ୍ର, ତଥା ଉପସ୍ଥିତ ଥିବା ମାନ୍ୟବର ଅତିଥିମାନେ ବସ୍ଗୁଡିକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ସେମାନେ ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକମାନେ ସହଜରେ ଶ୍ରୀମନ୍ଦିର ଦର୍ଶନ କରିପାରୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହାକୁ ଏକ ସାର୍ଥକ ପଦକ୍ଷେପ ବୋଲି କହିଥିଲେ।
ଏହି ଯୋଜନାରେ ବିଶେଷ କରି ବୃଦ୍ଧ, ମହିଳା ଓ ଆର୍ଥିକ ଭାବେ ଅସମର୍ଥ ଭକ୍ତମାନଙ୍କୁ ପ୍ରାଥମିକତା ଦିଆଯାଇଛି। ଯାତ୍ରୀମାନଙ୍କ ପାଇଁ ଯାତାୟାତ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ।



