ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ।

ଅନୁଗୋଳ,ତା.୦୪.୦୪: ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ସ୍ଥାନୀୟ ପି ଏମ୍ ଶ୍ରୀ ପି ଟି ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାରମ୍ଭିକ ଶିକ୍ଷାର ଉପଯୋଗିତା ବିଷୟରେ ବର୍ଣ୍ଣନା କରି ଭଲ ପାଠ ପଢି ଜୀବନରେ ଭଲ ମଣିଷ ହେବାକୁ ପିଲାମାନଙ୍କୁ ଉପଦେଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଯୋଗ ଦେଇ ସମସ୍ତ ଅଭିଭାବକମାନଙ୍କୁ ସେମାନଙ୍କ ଶିଶୁଙ୍କୁ ନିୟମିତ ପାଠ ପଢିବା ପାଇଁ ବିଦ୍ୟାଳୟକୁ ପଠାଇବାକୁ ଅନୁରୋଧ କରିଥିଲେ । ଅତିଥିମାନେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଗୋଲାପ ଫୁଲ, ରସଗୋଲା, ପାଠ୍ୟୋପକରଣ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ଖଡି ଛୁଆଁଇ ଥିଲେ । ଏହାପରେ ଅତିଥିମାନେ ପ୍ରସ୍ତୁତ କରାଯାଇଥିବା ମୌଳିକ ସଂଖ୍ୟା ଜ୍ଞାନ ଷ୍ଟଲ, ମୌଳିକ ସାକ୍ଷରତା ଷ୍ଟଲ ଓ ସୃଜନାତ୍ମକ ଷ୍ଟଲଗୁଡିକୁ ବୁଲି ଦେଖୁଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିଶୁବାଟିକା ଖୋଲିବା ସହ ୪ବର୍ଷ ୭ ମାସରୁ ୫ ବର୍ଷ ୭ ମାସ ହୋଇଥିବା ଶିଶୁମାନେ ଶିଶୁବାଟିକା ଶ୍ରେଣୀରେ ଏବଂ ୫ ବର୍ଷ ୭ ମାସରୁ ଅଧିକ ହୋଇଥିବା ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ।

ଏହି ଉପଲକ୍ଷେ ଏକ ସଚେତନତା ରଥ ବିଦ୍ୟାଳୟ ପରିସରରୁ ମୁଖ୍ୟ ଅତିଥିଙ୍କ ଦ୍ବାରା ଶୁଭାରମ୍ଭ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୁପମା ପାଣି, ଅନୁଗୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ, ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ, ଶ୍ରୀମତୀ ମଧୁସ୍ମିତା ନନ୍ଦ, ପି ଏମ୍ ଶ୍ରୀ ପିଟି ସି ନୋଡାଲ ଊଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନିତା ଜେନାଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଜ କୁମାର ଗଡନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀ ମନୋରଞନ ସାହୁ ମଞ୍ଚ ପରିଚାଳନା କରିଥିଲେ ।




