ଲୋକାର୍ପିତ ହେଲା ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’
ତାଳଚେର,୨୪/୦୪ ତାଳଚେର ବ୍ଲକ ଗୋପାଳପ୍ରସାଦସ୍ଥିତ ମା ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦ ପକ୍ଷରୁ ପ୍ରକାଶିତ ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା ‘ମା ହିଙ୍ଗୁଳା’ ଲୋକାର୍ପିତ ହୋଇଯାଇଛି । ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ମହାବିଷୁବ ମିଳନ ଉତ୍ସବ ସ୍ଥାନୀୟ ଆଇଏନ୍ଟିୟୁସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ ଏବଂ ସମ୍ମାନୀତ ଅତିଥି ଭାବରେ ବର୍ଣ୍ଣାଳୀ ସାହିତ୍ୟ ସଂସଦର ସଭାପତି ଆଇନଜୀବୀ ଯଦୁମଣି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ କରକମଳରେ ପତ୍ରିକାଟି ଲୋକାର୍ପିତ ହୋଇଥିଲା । ଏହି ସମାରୋହରେ ସାହିତ୍ୟ ଘରର ସଂପାଦକ କବି ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ, ସାଂଗଠନିକ ସଂପାଦକ ପତିତପାବନ ପ୍ରଧାନ, ଯୁଗ୍ମ ସଂପାଦକ ହରିହର ଭୂକ୍ତା ଓ ବିଭାବନା ସାହିତ୍ୟ ପତ୍ରିକାର ସଂପାଦକ ମାନସ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମା ହିଙ୍ଗୁଳା ପୀଠ ପରିଷଦ ଉନ୍ନୟନ ପରିଷଦ ପକ୍ଷରୁ ଦୀର୍ଘ ୨୯ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ପ୍ରକାଶିତ ଏହି ଆଧ୍ୟାତ୍ମିକ ପତ୍ରିକାରେ ମା ହିଙ୍ଗୁଳାଙ୍କ ସଂପର୍କରେ ବହୁ ଜଣା ଅଜଣା ତଥ୍ୟ ସ୍ଥାନ ପାଇଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।



