ଜନଗଣନା ଉପ-ନିର୍ଦ୍ଦେଶକଙ୍କ ଦୁଇଦିନିଆ ଅନୁଗୋଳ ଗସ୍ତ

ଅନୁଗୋଳ,୦୬.୦୫: ଭାରତ ସରକାରଙ୍କ ଜନଗଣନା ଉପ-ନିର୍ଦ୍ଦେଶକ ଶ୍ରୀ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୋଳ ଗସ୍ତରେ ଆସି ଜିଲ୍ଲାରେ ଚାଲୁଥିବା ଜନଗଣନା କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି।

ଗତକାଲି ପୂର୍ବାହ୍ନରେ ଶ୍ରୀ ମହଲା ଅନୁଗୋଳରେ ପହଞ୍ଚିବା ପରେ ପ୍ରଥମ ଦିନରେ ବଅଁରପାଳ ତହସିଲ ଅଧୀନରେ ଥିବା ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର, ବଅଁରପାଳ ତହସିଲଦାର ତଥା ଚାର୍ଜ ଅଫିସର ଶ୍ରୀ ସୁଶାନ୍ତ କୁମାର ମିଶ୍ର ଏବଂ ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ନାୟକ ଉପସ୍ଥିତ ଥିଲେ। ଏଥିସହ ସହକାରୀ ଜିଲ୍ଲାପାଳ ଶ୍ରୀ ସଞ୍ଜୟ ଭୋଇ ଓ ଅନୁଗୋଳ ଜିଲ୍ଲା ପାଇଁ ନିୟୋଜିତ ରାଜ୍ୟ ସଂଯୋଜକ ଶ୍ରୀ ଅମିତରତ୍ନମ ଓ ଶ୍ରୀ ଦୀପକ କୁମାର ଉପସ୍ଥିତ ଥିଲେ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି ମଧ୍ୟାହ୍ନରେ ଉପ-ନିର୍ଦ୍ଦେଶକ ଶ୍ରୀ ମହଲା ଜିଲ୍ଲାର ସମସ୍ତ ୧୩ଟି ଚାର୍ଜର ଅଧିକାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଯୋଗ ଦେବା ସହ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ଏବଂ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଆଲୋଚନା ସମୟରେ ସେ ଜିଲ୍ଲାରେ ଜନଗଣନା କାର୍ଯ୍ୟର ଅଗ୍ରଗତି ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।




