ମହାରାଜା ବ୍ରଜ ମୋହନ ଦେଓଙ୍କ ୧୩୦ ତମ ଜୟନ୍ତୀ

ଆଧୁନିକ କଳାହାଣ୍ଡିର ନିର୍ମାତା ୩୦ ତମ ନାଗବଂଶୀ ଶାସକ ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ବ୍ରଜ ମୋହନ ସାହିତ୍ୟ ସମିତି ପକ୍ଷରୁ ପାଳିତ ହୋଇଛି। ସନ୍ଧ୍ୟା ସାଢ଼େ ଛଅ ଟାରେ ଭବାନୀପାଟଣା ସ୍ଥିତ ଷ୍ଟାଚ୍ୟୁ ଛକରେ ବ୍ରଜମୋହନ ଦେଓଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ତାପରେ ରାଜବାଟି ସ୍ଥିତ ସଭା ମଣ୍ଡପରେ ଆୟୋଜିତ ସାହିତ୍ୟ ସଭାରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ , ମହାରାଣୀ ରିତୁଜା କୁମାରୀ ଦେବୀ ଓ କଳାହାଣ୍ଡି ଲୋକ ସଭା ସାଂସଦ ମାଳବିକା ଦେବୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଆଲୋଚକ ଭାବରେ ଡ଼ ଦାଶରଥି ଆଚାର୍ଯ୍ୟ ଓ ଶ୍ରୀମତୀ ଅର୍ଚ୍ଚନା ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ଙ୍କୁ ସମ୍ମାନିତ କରାଯାଇଥିଲା। ଇଣ୍ଡିଆନ୍ କ୍ରିଏଟିଭ ଆର୍ଟିଷ୍ଟ ନେଟୱାର୍କ ଟ୍ରଷ୍ଟ ପକ୍ଷରୁ ଶିଳ୍ପୀ ତରୁଣ ମହାପାତ୍ରଙ୍କ ଦ୍ଵାରା ନିର୍ମିତ ମହାରାଜା ବ୍ରଜମୋହନ ଦେଓ ଙ୍କ ପଟ୍ଟଚିତ୍ର ଉନ୍ମୋଚନ କରାଯାଇଥିଲା। ମହାରାଜା ଅନନ୍ତ ପ୍ରତାପ ଦେଓ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ବ୍ରଜମୋହନ ବକ୍ତୃତା ମାଳା ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଆ ସାହିତ୍ୟକୁ କଳାହାଣ୍ଡିର ରାଜବଂଶର ଦାନ ସମ୍ପର୍କରେ ଡ଼ ଦାଶରଥି ଆଚାର୍ଯ୍ୟ ଓ ଓଡ଼ିଆ ସାହିତ୍ୟରେ କଳାହାଣ୍ଡି ନାରୀ ଲେଖିକାଙ୍କ ଭୂମିକା ସମ୍ପର୍କରେ ଅର୍ଚ୍ଚନା ମିଶ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ। ୧୯୧୭ ରୁ ୧୯୩୯ ଯାଏଁ ୩୦ ତମ ନାଗବଂଶୀ ଶାସକ ଭାବରେ ମହାରାଜା ବ୍ରଜ ମୋହନ ଦେଓ କଳାହାଣ୍ଡିରେ ରାଜୁତି କରିଥିଲେ। ତାଙ୍କରି ଶାସନ କାଳରେ କଳାହାଣ୍ଡି ଗଡଜାତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଆଲୋକିକରଣ, ପାନୀୟ ଜଳ ଯୋଗାଣ ଭଳି ବିକାଶ ମୂଳକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କଳାହାଣ୍ଡିର ମହାରାଣୀ ବିଶ୍ୱାସ କୁମାରୀ ଦେବୀ, ଆଶା କୁମାରୀ ଦେବୀ, ସୁରତରଙ୍ଗିଣୀ ଦେବୀ, ମହାରାଜ ବ୍ରଜ ମୋହନ ଦେଓ, ମଦନପୁର ରାମପୁର ରାଜା ଦୁର୍ଗା ମାଧବ ସିଂହଦେଓ, ଥୁଆମୂଳ ରାମପୁର ରାଜା ପଦ୍ମନ୍ ସିଂହ ଙ୍କ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟ ପାଇଁ ଅନବଦ୍ୟ କୃତି। ସେହିପରି କଳାହାଣ୍ଡିର ନାରୀ ଲେଖିକା ଓ କବି ମହାରାଣୀ ବିଶ୍ୱାସ କୁମାରୀ ଦେବୀ, ସୁରତରଙ୍ଗିଣୀ ଦେଵୀ,ଯଶୋଧାରା ମିଶ୍ର, ଯାଜ୍ଞସେନୀ ସା, ଦେବହୂତି କର, ଯାଜ୍ଞସେନୀ ପଧାନ, ପଲ୍ଲିଶ୍ରୀ ପଟ୍ଟନାୟକ, ସ୍ନେହଲତା ଷଡ଼ଙ୍ଗୀ, କଳ୍ପନା ରଥ, ସୁଦେଷ୍ଣା ପଣ୍ଡା, ଦୀପ୍ତି ମୁଣ୍ଡ, ଐଶ୍ବର୍ଯ୍ୟା ପ୍ରଧାନ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ମୁନରେ ସମୃଦ୍ଧ କରିଛନ୍ତି ବୋଲି ସମ୍ମାନିତ ବକ୍ତା ମାନେ ପ୍ରକାଶ କରିଥିଲେ। ଶିଳ୍ପୀ ରଘୁନାଥ ଠାକୁର ଆବାହନି ବଂଶୀ ବାଦନ କରିଥିଲେ ଓ ବ୍ରଜ ମୋହନ ସାହିତ୍ୟ ସମିତିର ଉପ ସଭାପତି ଭାରତ ଭୂଷଣ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିଲେ।



