ୱାର୍ଡ଼ ନଂ-୧୧ ବସ୍ତିରେ ଥିବା କମ୍ୟୁନିଟ୍ ସେଟଂର ଗୃହ କାହା ସ୍ୱାର୍ଥରେ
ତାଳଚେର, ୨୧/୦୫ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧୧ଚାଳିଆକୂଟ୍ଟା ବସ୍ତିରେ ରହିଥିବା କମ୍ୟୁନିଟ୍ ସେଟଂର ଘର କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ପକ୍ଷରୁ ଲୋକଙ୍କ ହିତ ଦୃଷ୍ଟିକୁ ନେଇ ବିଭିନ୍ନ ଉଦ୍ଦେଶ୍ୟ ମୂତାବକ ସହରାଚଂଳ ଗୁଡ଼ିକରେ କମ୍ୟୁନିଟ୍ ସେଟଂର ଘର ନିର୍ମାଣ କରାଇଛି । ବିଶେଷ କଥା ହେଉଛି ସଭା, ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ, ବ୍ରତ ଏପରିକି ସ୍ଥାନୀୟ ବାସୀନ୍ଦାଙ୍କ କାର୍ଯ୍ୟରେ ଲାଗିବା ଉଦ୍ଦେଶ୍ୟରେ ଏହି କମ୍ୟୁନିଟ୍୍ ସେଟଂର ଗୃହଟି ନିର୍ମାଣ କରାଯାଇଛି । କିନ୍ତୁ ତାହା ନହୋଇ କିଛି ମୁଷ୍ଠିମେୟ ବ୍ୟକ୍ତିଙ୍କ ଜରିଆରେ ଏବେ ଏହି ଗୃହଟି ଭଡ଼ାଘର ସାଜିଥିବା ଶୁଣାଯାଉଛି । ବର୍ତମାନ ସମୟରେ ଜାଗାର ଅଭାବ ହେତୁ ବସ୍ତିବାସୀନ୍ଦା ମାନେ ନିଜର କୌଣସି ମାଙ୍ଗଳିକ କାର୍ଯ୍ୟ କରିପାରୁନଥିବା ଓ ଅଧିକ ଖର୍ଚ୍ଚାନ୍ତ ହୋଇ ରାସ୍ତା କଡ଼ରେ ଟେଂଟଭିଡ଼ି ନିଜର କାର୍ଯ୍ୟ କରୁଥିବା ଯୋଗୁଁ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ତେବେ ମହତ ଉଦ୍ଦେଶ୍ୟରେ ୱାର୍ଡ଼ବାସୀଙ୍କ ପାଇଁ ନିର୍ମିତ ନଂ -୧୧ଚାଳିଆକୂଟ୍ଟା ବସ୍ତିରେ ଏହି କମ୍ୟୁନିଟ୍ ସେଟଂର ଗୃହଟି କାହା ଦାୟୀତ୍ୱରେ ହସ୍ତାନ୍ତର କରାଯାଇଛି ଓ ସେ କିପରି ଏହି ଗୃହକୁ ଭଡ଼ା ଆକାରରେ ଲଗାଇଛି ତାହା ତଦନ୍ତ ସାପେକ୍ଷ । ଏହି କମ୍ୟୁନିଟ୍ ସେଟଂରଟି ଏବେ ଜରାଜିର୍ଣ୍ଣ ହେବା ସହ ସେଥି ମଧ୍ୟରେ ଭଡ଼ାରେ ରହି ଆଡ୍ଡା ଜମାଇଥିବା ଲୋକଙ୍କୁ ସେଠାରୁ ତୁରନ୍ତ ବାହାର କରାଯାଇ ୱାର୍ଡ଼ବାସୀଙ୍କ ସ୍ୱାର୍ଥରେ ଲଗାଇବାକୁ ସାଧାରଣରେ ଦାବି ହେଉଛି ।
‘ଫ୍ଲୋ’ ମିଟର ବିନା ଜଳ ଶୋଷୁଛନ୍ତି ଶିଳ୍ପସଂସ୍ଥା
ନଦୀରୁ ମନଇଚ୍ଛା ଶୋଷୁଛନ୍ତି ପାଣି ଏଥିରେ ଲାଗୁନି ରୋକ୍
ତାଳଚେର, ୨୧/୦୫ ସାଧାରଣ ଜନତା ପାଣି ପାଇଁ ଡ଼ହକବିକଳ ହେଉଥିବା ବେଳେ ତାଳଚେର ଅଂଚଳରେ ରହିଥିବା ବିଭିନ୍ନ କଳକାରଖାନାକୁ ବ୍ରାହ୍ମଣୀ ନଦୀରୁ ବଡ଼ବଡ଼ ହୋମପାଇପ୍ ଦ୍ୱାରା ସରକାର ପାଣି ଯୋଗାଇ ଦେଉଥିବା କେତେ ଯୁକ୍ତିଯୁକ୍ତ । ରାଜ୍ୟ ସରକାର ଶିଳ୍ପସଂସ୍ଥାମାନଙ୍କୁ ସେମାନଙ୍କ ଚାହିଦା ମୂତାବକ ନଦୀରୁ ଜଳ ନେବାପାଇଁ ଅନୁମତି ଦେଇଥାନ୍ତି । ଏହାମଧ୍ୟ ଜଳସମ୍ପଦ ବିଭାଗର ଧାର୍ଯ୍ୟ ନିୟମ ଅନୁଯାୟୀ ଚୁକ୍ତିନାମା ଦ୍ୱାରା ଅନୁମୋଦିତ ହୋଇଥାଏ । କିନ୍ତୁ ତାଳଚେରରେ ଶିଳ୍ପସଂସ୍ଥାମାନେ ଜଳକର ପୈଠ କରୁନଥିବା ବେଳେ ଚୁକ୍ତିନାମା ଠାରୁ ବହୂମାତ୍ରାରେ ମନଇଚ୍ଛା ନଦୀରେ ପମ୍ପହାଉସ୍ ନିର୍ମାଣ କରି ଜଳ ନେଉଥିବା ଅଭିଯୋଗ ହେଉଛି । ଏପରିକି, କମ୍ପାନୀମାନେ ବଡ଼ବଡ଼ ବୋର୍ୱେଲ ନିର୍ମାଣକରି ମନଇଚ୍ଛାଭାବେ ଭୂତଳ ଜଳକୁ ଶୋଷି ନେଉଛନ୍ତି । ଜଳ ଉଠାଣର ହିସାବପାଇଁ ଶିଳ୍ପସଂସ୍ଥା ମାନଙ୍କ ପାଇଁ ଚୁକ୍ତିନାମା ଅନୁଯାୟୀ ‘ଫ୍ଲୋ’ ମିଟର ବାଧ୍ୟତାମୂଳକ ରହିଥିବା ବେଳେ ଏହି ନିୟମକୁ କୌଣସି ସଂସ୍ଥା ମାନୁନଥିବା କୁହାଯାଉଛି । ମୁଖ୍ୟତଃ ବ୍ରାହ୍ମଣୀନଦୀ ଅବବାହିକାରେ ରହିଥିବା ଅଂଚଳବାସୀ ନଦୀ ଉପରେ ନିର୍ଭର କରିଥାନ୍ତି । ବର୍ଷା ଦୁଇ ତିନିମାସ ଛାଡ଼ିଦେଲେ ଶିଳ୍ପସଂସ୍ଥାମାନେ ନଦୀରୁ ମନଇଚ୍ଛା ପାଣି ଟାଣି ନେଉଥିବା ବେଳେ ପ୍ରାୟ ଜାନୁଆରୀ ଫେବୃଆରୀରୁ ଜଳସଙ୍କଟ ଦେଖାଦେଇଥାଏ । ଏପରିକି, ଜଳବାୟୁ ପରିବର୍ତନ ଓ ନିଅଂଟିଆ ବର୍ଷା ଯୋଗୁଁ ନଦୀରେ ଜଳପ୍ରବାହ କମିବାରେ ଲାଗୁଥିବା ବେଳେ କମ୍ପାନୀମାନେ ଏଥିରୁ ପାଣି ଶୋଷିନେବା କେତେ ଯୁକ୍ତି ସଙ୍ଗତ ତାକୁ ନେଇ ଅଂଚଳରେ ପରିବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ହେଲେ ଦୃଷ୍ଟି ଦେଇନଥାନ୍ତି । ଅପରପକ୍ଷେ ସରକାର ଜନସାଧାରଣଙ୍କୁ ପାନୀୟଜଳ ବ୍ୟବସ୍ଥା କରାଇ ‘ଫ୍ଲୋ’ମିଟର ଲଗାଇ ବେସ କର ଆଦାୟ କରୁଥିବା ବେଳେ କମ୍ପାନୀମାନଙ୍କ ପ୍ରତି କାହିଁକି ଆଖିବୁଜି ଦେଉଛନ୍ତି ତାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ବୃଦ୍ଧି ପାଇଛି । ବ୍ରାହ୍ମଣୀନଦୀର ଉପର ଭାଗରେ ଏକାଧିକ ପମ୍ପହାଉସ ରହିଥିବା ବେଳେ, ରେଳୱେ, ନାଲକୋ, ଥର୍ମାଲ, ଏଫସିଆଇ, ଏମସିଏଲ ଭଳି ପମ୍ପହାଉସ ନିର୍ମାଣ କରି ଜଳ ଶୋଷୁଥିବା ବେଳେ ଅଂଚଳବାସୀଙ୍କୁ ମାତ୍ର ଅଧେଘଂଟରୁ ଘାଂଟାଏ ଜଳ ଯୋଗାଇ ଦିଆଯାଇଥାଏ, ସେଥିରେ ପୁଣି ସେମାନଙ୍କୁ କର ଦେବାକୁ ପଡ଼ିଥାଏ । ଯଦି ଏଥିରେ ବ୍ୟତୀକ୍ରମ ଘଟେ ତେବେ ଜଳଯୋଗାଣ ବ୍ୟବସ୍ଥାକୁ ବନ୍ଦ କରି ଦେଉଥିବା ଅଭିଯୋଗ ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତାଳଚେରରେ ପ୍ରଚୁରମାତ୍ରାରେ କୋଇଲା ଖଣି ଓ ସୁବିଧାରେ ପାଣି ବ୍ୟବସ୍ଥାକୁ ନଜରରେ ରଖି କମ୍ପାନୀଙ୍କ ଲଲୁପ ଦୃଷ୍ଟି ତାଳଚେର ଅଂଚଳରେ ପଡ଼ିଥାଏ । କାରଣ କମ ଖର୍ଚ୍ଚରେ ବେସ ମାଲାମାଲ ହେବା ଲକ୍ଷ୍ୟରେ ଆଗକୁ ମାଡ଼ି ଚାଲିଛନ୍ତି ।
ବନ୍ଧୁକ ଚାଳନା ପ୍ରଶିକ୍ଷଣ ଶିବିର ଉଦଘାଟିତ
ତାଳଚେର, ୨୧/୦୫ ସ୍ଥାନୀୟ ରାଇଫୁଲ କ୍ଲବ ତାଳଚେର ଇଂଟରନେସନାଲ ଶାଖାର ମିଳିତ ଆନୁକୂଲ୍ୟରେ ୭ଦିନିଆ ବନ୍ଧୁକ ଚାଳନା ଶିବର ଉଦଘାଟିତ ହୋଇଯାଇଛି । ମେ ୧୯ରୁ ଆରମ୍ଭ ହୋଇ ୨୫ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜେସିଆଇର ସଭାପତି ଅରୁଣ ମୋଦି ସୂଚନା ଦେଇଛନ୍ତି । ରାଂଚିରୁ ପ୍ରଶିକ୍ଷକ ମାଣିକ କୁମାର ଏହି ଶିବିରରେ (୧୭୭) କ୍ୟାଲିବର ବିଶିଷ୍ଟ ୧୦ମିଟର ଓପନ ସାଇଟ୍ ଏୟାର ରାଇଫଲ, କିଭ ସାଇଟ୍ ଏୟାର ପିସ୍ତଲ ଦ୍ୱାରା ଲକ୍ଷ୍ୟଭେଦ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଥିବା ଶିବିର ପରିଚାଳନା ନିର୍ଦ୍ଦେଶକ ସୂମିତ ଅଗ୍ରୱାଲ ପ୍ରକାଶ କରିଛନ୍ତି ରଶ୍ମିରଞ୍ଜନ ମିଶ୍ର ଏହି ଶିବିରକୁ ଉଦଘାଟନ କରି କହିଥିଲେ ଯେ, ପୂର୍ବରୁ କ୍ଲବର ସଦସ୍ୟ ଏବଂ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ ଛାତ୍ରଛାତ୍ରୀ ନେସନାଲ ଲେବଲ ପର୍ଯ୍ୟନ୍ତ ଉତିର୍ଣ୍ଣ ହୋଇ ବିଭିନ୍ନ ମେଳାଦେଖି ଜିତି ପାରିଛନ୍ତି, ଏବଂ ଏହି ଶିବିରରୁ ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଆଗକୁ ବଢ଼ିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶରତ ଚନ୍ଦ୍ର ଦେବ୍ ଏବଂ ସଞ୍ଜିବ ପଟ୍ଟନାୟକ ସହଯୋଗର ହାତ ବଢ଼ାଇଥିଲେ । ଜେସିଆଇର ଜୋନ ସଭାପତି ଆଶିସ୍ ଅଗ୍ରୱାଲ, ବାସୁଦେବ ସାହୁ, ଦିପ୍ତିରଞ୍ଜନ ବିଶ୍ୱାଳ, ମନିଶ ଅଗ୍ରୱାଲ, ମହେଶ ଅଗ୍ରୱାଲ, ଜିନ୍ଦ୍ରେ ଅଗ୍ରୱାଲ, ପ୍ରଦୀପ ପାଲ, ହରିଶ ଅଗ୍ରୱାଲା, ସୁପ୍ରିୟା ଲେଖା, ପଲ୍ଲବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।



