ଭୁବନେଶ୍ୱର: କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡରେ ୩ ମୃତ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ଘୋଷଣା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଥାଉକି, କେନ୍ଦୁଝର ନରଣପୁରରେ କାଳବୈଶାଖୀରେ ୩ ଜଣଙ୍କ ଜୀବନ ଯାଇଥିଲା ।
ପ୍ରବଳ ଝଡ଼ରେ ଟେଣ୍ଟଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଭାରୀ ଲୁହା ଫ୍ରେମ୍ ଏବଂ କପଡ଼ା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୩ ଜଣ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଟେଣ୍ଟ ତଳୁ ବାହାର କରାଯାଇଥିଲେ ମଧ୍ୟ ସେତେବେଳକୁ ସେମାନଙ୍କର ଜୀବନ ଚାଲିଯାଇଥିଲା ।ଏହି ଭୟଙ୍କର ଅଘଟଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୁଲିସ ସହାୟତାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ଥିତି ଚିନ୍ତାଜନକ ଥିବା ଜଣାପଡ଼ିଛି ଏବଂ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।



