ବୃକ୍ଷ ହିଁ ଜୀବନ : କେବଳ କାଗଜପତ୍ରରେ- ବୃକ୍ଷରୋପଣ
ତାଳଚେର, ୨୫/୦୫ ବହୁ ପୂରାତନ ତାଳଚେର ଅଂଚଳକୁ ପାହାଡ଼ ପର୍ବତରେ ଆଚ୍ଛାଦିତ ହୋଇ ପରିବେଶ ସୁନ୍ଦର ଦେଖାଯିବା ସହ ତାଳଚେର ଅଂଚଳବାସୀ ନିରୋଗ ରହୁଥିଲେ । ପର୍ଯ୍ୟାୟକ୍ରମେ ତାଳଚେରରେ ଶିଳ୍ପାନୁଷ୍ଠାନ ଖଣିଖାଦାନ ବୃଦ୍ଧି ପାଇବାରୁ ସେହି ଅନୁପାତରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବଡ଼ବଡ଼ ଜଙ୍ଗଲକୁ କାଟି ପଦା କରି ଦିଆଯାଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାଳଚେର ବ୍ଲକର ପ୍ରାୟ ୭ରୁ ୮ଟି ପଂଚାୟତ କୋଇଲା ଖଣିରେ ନିଶ୍ଚିହ୍ନ ହୋଇଥିବା ବେଳେ ଆଉ କିଛି ଜମି ଅଧିଗ୍ରହଣ କରାଯାଇ ତୁରନ୍ତ ଖଣି ଖନନ କରାଯିବା ନେଇ ବିଜ୍ଞପ୍ତି ଜାରି ହୋଇ ସାରିଛି । ଫଳରେ ଶିଳ୍ପନଗରୀ ତାଳଚେର ଉପଖଣ୍ଡରେ ବର୍ତମାନ ଉତାପ ବୃଦ୍ଧି ପାଇବାରେ ଲାଗିଛି । ତାଳଚେରବାସୀ ଏହାକୁ ନେଇ କଷ୍ଟ ଅନୁଭବ କରୁଥିବା ବେଳେ ଅଂଚଳବାସୀଙ୍କ ଏହି ଦୁଃଖ କାହାକୁ କିପରି ଦେଖାଯାଉ ନାହିଁ ବୋଲି ଚର୍ଚ୍ଚା ଯୋରଧରିଛି । ତାଳଚେର ଜିଲ୍ଳାଖଣିଜପାଣ୍ଠି ଓ ସିଏସଆର ଅର୍ଥ ରହିଥିଲେ ହେଁ ଏହା ବାହାର ରାଜ୍ୟରେ ଲୋକଙ୍କ ସ୍ୱାର୍ଥରେ ଉତ୍ସର୍ଗୀକୃତ କରାଯାଉଥିବା ବେଳେ ତାଳଚେରବାସୀ ଦେଶର ବିକାଶ ଦିଗରେ ନିଜର ଭିଟ୍ଟାମାଟି ହରାଇଛନ୍ତି କିନ୍ତୁ ଅଂଚଳବାସୀଙ୍କ ବିକାଶ କ’ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠାରେ ଏନଟିପିସି, ଟିଟିପିଏସ୍ ଏଫସିଆଇ, କଣିହାଁ ଜିନ୍ଦଲ, ନାଲକୋ ଓ ୧୦ଟି ଖଣି ଖଦାନ ରହିଥିଲେ ମଧ୍ୟ ସେମାନେ ଜିଲ୍ଳା ଖଣିଜପାଣ୍ଠିକୁ ଦେଉଥିବା ଅର୍ଥ ଓ ସାମାଜିକ ଦାୟୀତ୍ୱବୋଧ (ସିଏସଆର) କୁଆଡ଼େ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବୃକ୍ଷ ହିଁ ଜୀବନ କୁହାଯାଉଥିବା ବେଳେ ତାଳଚେର ଅଂଚଳରେ କେବଳ ଏହା କାଗଜପତ୍ରରେ ସୀମିତ ରହୁଛି । ପ୍ରତିବର୍ଷ ବନବିଭାଗ ଓ ତାଳଚେର ଗୁଡ଼ାଏ ଅନୁଷ୍ଠାନ ପକ୍ଷରୁ କୋଟି କୋଟିଟଙ୍କା ଖର୍ଚ୍ଚ କରାଯାଇ ଅଂଚଳରେ ବୃକ୍ଷରୋପଣ କରାଯାଉଥିଲେ ହେଁ ତାହା ସଠିକ ଭାବେ ହେଉନାହିଁ ବୋଲି ପରିବେଶବିତ୍ ମହଲରେ ଚର୍ଚ୍ଚା ହେଉଛି । ଫଳରେ ଜଳସଙ୍କଟ ସହ ଗ୍ରୀଷ୍ମଋତୁରେ ଉତାପ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



