ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ସାଧାରଣ ସଭା

ସମସ୍ୟାଗୁଡିକର ତୁରନ୍ତ ସମାଧାନ ନହେଲେ ଜାନୁଆରୀ ୬ରୁ ଆନ୍ଦୋଳନ
ଜେ. ବି. ଏନ୍ (୨୩/୧୨ /୨୦୨୦)
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ସାଧାରଣ ସଭା ବୈଠକ ଆଜି ଅପରାହ୍ନରେ ସିଭିଲ୍ କୋର୍ଟ ସଭାଗୃହରେ ସଂଘର ସଭାପତି ଶ୍ରୀ ଓମ ପ୍ରକାଶ ଶରଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଢେଙ୍କାନାଳରେ ଦେଖାଯାଇଥିବା ବିଭିନ୍ନ ସମସ୍ୟା ଉପରେ ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି କ୍ଷୋଭ ପ୍ରକାଶ କରିଥିଲେ । ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ସର୍ବଶ୍ରୀ ସଞ୍ଜୟ କୁମାର ମିଶ୍ର , ଦୀପକ ପ୍ରସାଦ ପଟ୍ଟନାୟକ , ନବ କିଶୋର ଗୁରୁ , ଶିବସାଇ ମହାପାତ୍ର ଓ ବରିଷ୍ଠ ଆଇନଜୀବି ଦୀପ୍ତିଶ ପ୍ରସାଦ ପଟ୍ଟନାୟକ , ପ୍ରକାଶ ଚନ୍ଦ୍ର ରାଉତ ନିଜର ମତାମତ ପ୍ରକାଶ କରିଥିଲେ । ଢେଙ୍କାନାଳରେ ଦୀର୍ଘଦିନ ହେବ ଆରକ୍ଷୀ ଅଧ୍ୟକ୍ଷକ ନଥିବାବେଳେ ଦିନକୁ ଦିନ ଢେଙ୍କାନାଳ ଆଇନ୍ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଛି । ଦିନ ଦ୍ବିପହରେ ଚୋରି , ଡକାୟତି ଓ ଗୁଣ୍ଡାଗର୍ଦ୍ଦି କରିବାକୁ ଅପରାଧମାନେ ପଛାଉ ନାହାଁନ୍ତି । ଗତ ଅକ୍ଟୋବର ୪ ତାରିଖ ଦିନ ଜିଲ୍ଲାପାଳଙ୍କ ସହିତ ଢେଙ୍କାନାଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ପ୍ରତିଶୃତି ଦେଇଥିଲେ ମଧ୍ୟ ତା’ର କାର୍ଯ୍ୟକାରିତା ନେଇ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବାର ସଭ୍ୟମାନେ ମତପ୍ରକାଶ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ତୁରନ୍ତ ଅରକ୍ଷୀ ଅଧ୍ୟକ୍ଷକଙ୍କ ନିଯୁକ୍ତି କରାଯିବା ସହିତ ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଥିବା ବିଭିନ୍ନ ସମାସ୍ୟାଗୁଡିକର ତୁରନ୍ତ ସମାଧାନ ନହେଲେ ଆଗାମୀ ଜାନୁଆରୀ ୬ ତାରିଖ ଦିନ ଆନ୍ଦୋଳନ କରିବା ପାଇଁ ସଭ୍ୟମାନେ ମତପ୍ରକାଶ କରିଥିଲେ । ସଭା ଶେଷରେ ସଂଘର ସଂପାଦକ ପ୍ରଦୀପ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।



