କୁଷ୍ଠରୋଗ ସଚେତନତା ପାଇଁ ଗଡିଲା ଶାମ୍ବ ରଥ
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୦୧ /୨୦୨୧ ଅନୁଗୋଳ : କୁଷ୍ଠରୋଗ ସମ୍ପର୍କରେ ସଚେତନତା ପାଇଁ ଅନୁଗୋଳ ଜିଲ୍ଲାର ୭ ଟି ବ୍ଲକରେ ସ୍ବତନ୍ତ୍ର କୁଷ୍ଠରୋଗ ଚିହ୍ନଟ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ ହୋଇ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଆଶା କର୍ମୀ ଏବଂ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଘରକୁ ଘର ବୁଲି କୁଷ୍ଠ ରୋଗର କାରଣ ଓ ଲକ୍ଷଣ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ । ବୁଧବାର ଏବଂ ରବିବାରକୁ ଛାଡି ସପ୍ତାହର ଅନ୍ୟ ଦିନ ମାନଙ୍କରେ ଏହି କାର୍ଯ୍ୟ ଚାଲୁ ରହିବ ।

ଚିହ୍ନଟ ହୋଇଥିବା ରୋଗୀଙ୍କୁ ତୁରନ୍ତ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇ ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ , ୨୦୨୦ ମସିହା ଏପ୍ରିଲ ମାସ ଠାରୁ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାରେ ୧୩୪ ଜଣ ନୂତନ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି । ତୁରନ୍ତ ରୋଗକୁ ଚିହ୍ନଟକରି ଆବଶ୍ୟକୀୟ ଔଷଧ ପ୍ରଦାନ କରି କୁଷ୍ଠ ରୋଗ ଜନିତ ସମସ୍ୟାକୁ ଦୂର କରିବା ଏହି କାର୍ଯ୍ୟ କ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାଃ .ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି ।




