ମେଡିକାଲ୍ ରେ ଷ୍ଟାଫ୍ନର୍ସ ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ
(ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ)
ତାଳଚେର, ୧୧/୦୬ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ ଷ୍ଟାଫ୍ ନର୍ସ ଓ ସ୍ୱାସ୍ଥ୍ୟ କର୍ମି ନିଯୁକ୍ତିରେ ମହାଦୁର୍ନିତୀର ସିବିଆଇ ତଦନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରଖାସ୍ତ ଦାବୀ କରାଯାଇଛି । ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ପକ୍ଷରୁ ରାଜ କିଶୋର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପ-ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ୱ ଦେଇ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ସହର ଭାବେ ତାଳଚେର ପରିଗଣିତ ହୋଇଛି । ପ୍ରଦୂଷଣ ଯୋଗୁଁ ଏଠିକାର ଅଧିବାସୀମାନେ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତାଳଚେରବାସୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ କୋଇଲା ଖଣି ସାହାଯ୍ୟରେ ରାଜ୍ୟ ସରକାର ମେଡିକାଲ୍ କଲେଜ୍ ନିର୍ମାଣ କଲେ ଏବଂ ଏହି କଲେଜ୍ ରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅଭିଜ୍ଞ ଡାକ୍ତର, ଷ୍ଟାଫ୍ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଗଲା । କିନ୍ତୁ ଦୁଃଖର ବିଷୟ ଅଭିଜ୍ଞ ଡାକ୍ତର ମାନଙ୍କୁ ଏଠାରୁ ଅନୁଗୋଳକୁ ନେଇ ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହା ତାଳଚେରବାସୀଙ୍କ ପାଇଁ ଦୁଃଖ ଓ ପରିତାପର ବିଷୟ । ମେଡିକାଲ୍ ପାଇଁ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମି ଓ ଷ୍ଟାଫ୍ ନର୍ସ ରାଜ୍ୟ ସରକାର ଏଜେନ୍ସି ମାଧ୍ୟମରେ ଏଠାରେ ନିଯୁକ୍ତି ଦେଲେ । କିନ୍ତୁ ବର୍ତମାନ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ମଧ୍ୟରୁ ୯୧ ଜଣ ଷ୍ଟାଫ ନର୍ସଙ୍କ ସାର୍ଟିଫିକେଟ୍ ଯାଂଚ କରାଯିବାରୁ ୬୦ ଜଣ ଷ୍ଟାଫ ନର୍ସ ଜାଲ୍ ପ୍ରମାଣପତ୍ର ମାଧ୍ୟମରେ ନିଯୁକ୍ତି ପାଇ ଥିବାର ପ୍ରମାଣ ମିଳିଛି । ସମସ୍ତ ୬୫୩ ଜଣ ସ୍ୱାସ୍ଥ୍ୟ କର୍ମିଙ୍କ ସାର୍ଟିଫିକେଟ୍ ଯାଂଚ ହେଲେ ଆହୁରୀ ଅଧିକ ଜାଲ୍ ସାର୍ଟିଫିକେଟ୍ ରେ ନିଯୁକ୍ତି ପାଇଥିବା ସନ୍ଦେହ କରାଯାଉଛି । କିଛି ମୁଷ୍ଟିମେୟ ନେତା ଓ କର୍ମଚାରୀ ଅର୍ଥ କାରବାର କରି ଏହି ଦୁର୍ନିତୀରେ ଲିପ୍ତ ରହି ରୋଗୀ ମାନଙ୍କ ଜୀବନ ସହିତ ଖେଳ ଖେଳିଥିବାରୁ ଏହାର ସିବିଆଇ ତଦନ୍ତ ଓ କେନ୍ଦ୍ରମନ୍ତ୍ରୀଙ୍କ ବରଖାସ୍ତ ଦାବୀ ସହିତ କୋଇଲା ଖଣି ଅଂଚଳରେ ସମସ୍ତ ଠିକା ଶ୍ରମିକଙ୍କର ପୋଲିସ୍ ଭେରିପିକେସନ୍ ସାର୍ଟିଫିକେଟ୍ ବାଧ୍ୟତା ମୂଳକ କରାଯାଉ । ତାଳଚେରକୁ ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରାଯାଉ । ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ସିକ୍ୟୁରିଟି ସଂସ୍ଥା (ଏସ୍.ଆଇ.ଏସ୍)କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ । ଉପରୋକ୍ତ ଦାବୀ ଗୁଡିକ ଯଥାଶୀଘ୍ର କାର୍ଯ୍ୟକାରୀ କରାଯାଉ ନଚେତ୍ ଆଗାମୀ ଦିନରେ ମହାନଦୀ କୋଇଲା ଶ୍ରମିକ କଂଗ୍ରେସ୍ ରାଜ ରାସ୍ତାକୁ ଓହ୍ଲାଇବ ଓ ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ମୁଖ୍ୟମନ୍ତ୍ରୀ, ଓଡିଶା ବିଧାନସଭାର ବିରୋଧ ଦଳ ନେତା, କଂଗ୍ରେସ୍ ବିରୋଧ ଦଳ ନେତା, ଓଡିଶା ପ୍ରଦେଶ କଂଗ୍ରେସ୍ କମିଟି ସଭାପତିଙ୍କୁ ପ୍ରେରଣ କରାଯାଇଛି । ଆଜିର ଦାବୀପତ୍ର ପ୍ରଦାନ ବେଳେ କିର୍ତୀ ରଞ୍ଜନ ବିଶୋଇ, ଦାସରଥି ସାହୁ, କାଳିଆ ସାହୁ, ବିଭୁତି ସାହୁ, ମିହିର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।



