ଢେଙ୍କାନାଳ ଦକ୍ଷିଣକାଳୀ ପୀଠରେ ସମ୍ପନ୍ନ ହେଲା ସିଦ୍ଧେଶ୍ବର ମହାଦେବଙ୍କ ବିବାହ ଉତ୍ସବ
ଢେଙ୍କାନାଳ ୧୮/୦୬: ଢେଙ୍କାନାଳ ସହରର ଦକ୍ଷିଣକାଳୀ ରୋଡ୍ ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ଶ୍ରୀ ସିଦ୍ଧେଶ୍ବର ମହାଦେବଙ୍କ ମନ୍ଦିରରେ ମହାଆଡମ୍ବର ସହିତ ଶିବ ବିବାହ ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ବିବାହର ସମସ୍ତ ନୀତିକାନ୍ତି ପାରମ୍ପରିକ ରୀତିରେ ପାଳନ କରାଯାଇଥିଲା। ଦିନ ତମାମ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ବାଟ ବରଣୀ ଏବଂ ବିବାହର ଅନ୍ୟାନ୍ୟ ରୀତିନୀତି ଯଥାବିଧି ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ଦେବ ବିବାହ ଉତ୍ସବରେ ବରପିତା ଭାବରେ ନରୋତ୍ତମ ଜେନା ଏବଂ କନ୍ୟାପିତା ଭାବରେ ସନାତନ ଦାସ ଦାୟିତ୍ୱ ନିର୍ବାହ କରିଥିଲେ। ପୂଜକ ଲିଙ୍ଗରାଜ ପତି ଓ ମନ୍ଦିରର ପୂଜକ ଉଦୟନାଥ ରଣାଙ୍କ ଉପସ୍ଥିତିରେ ବିବାହର ସମସ୍ତ ପୂଜାକାର୍ଯ୍ୟ ବେଦ ମନ୍ତ୍ର ଧ୍ୱନି ମଧ୍ୟରେ ସମ୍ପନ୍ନ କରାଯାଇଥିଲା। ଏହି ଆଧ୍ୟାତ୍ମିକ ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇ ଦେବ ଦମ୍ପତିଙ୍କ ଦର୍ଶନ କରିବା ସହ କୃପାଲାଭ କରିଥିଲେ।



