::ବେଲପାହାଡ଼ରେ ରାଜନୈତିକ ସରଗରମ, ୨୪ରେବେଲପାହାଡ ନଗରପାଳଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ::

ବେଲପାହାଡ:୧୮/୬(ଯୋଗେଶ୍ୱର ସାହୁ) ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦ ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଆସନ୍ତା ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ହେବ ବୋଲି ଜଣାପଡ଼ିଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ବେଲପାହାଡ଼ ପୌରପରିଷଦ ସଭାଗୃହରେ ଝାରସୁଗୁଡ଼ା ଆଇଟିଡିଏ ପିଏ ସଞ୍ଜୀବ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ।ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏନେଇ ଏକ ନୋଟିସ ଜାରି କରାଯାଇଛି। ବେଲପାହାଡ଼ ନଗରପାଳ ନିମାଇଁ ଚରଣ ପଣ୍ଡାଙ୍କ ବିରୋଧରେ ପୌର ପରିଷଦର ମୋଟ ୧୯ ଜଣ କାଉନସିଲରଙ୍କ ମଧ୍ୟରୁ ୧୪ ଜଣ କାଉନସିଲର ଓଡ଼ିଶା ପୌର ପରିଷଦ ଆଇନ ୧୯୫୦ ର ଧାରା ୫୪ ଅନୁସାରେ ଆସ୍ଥା ନଥିବା ଦର୍ଶାଇ ଚଳିତ ଜୁନ ମାସ ୮ ତାରିଖ ଦିନ ଜିଲ୍ଲା ପ୍ରଶାସନ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲା ପ୍ରଶାସନ ଏହି ପ୍ରସ୍ତାବକୁ ନିୟମ ଅନୁସାରେ ଗ୍ରହଣ କରିବା ସହ ଅନାସ୍ଥା ଭୋଟ ପାଇଁ ୨୪ ତାରିଖ ପୂର୍ବାହ୍ନ ୧୧ ଟାରେ ସମୟ ଧାର୍ଯ୍ୟ କରିଛି। ଏଥିରେ ସମସ୍ତ ବିରୋଧୀ କାଉନସିଲଙ୍କୁ ଉପସ୍ଥିତ ହେବାକୁ ନୋଟିସ ଜାରି କରାଯାଇଛି। ତେବେ ଏହି ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ବେଲପାହାଡ଼ ସହର ତଥା ଝାରସୁଗୁଡ଼ା ଜିଲ୍ଲାରେ ରାଜନୈତିକ ସରଗରମ ଦେଖାଦେଇଛି। ବେଲପାହାଡ଼ ପୌର ନଗରପାଳ ନିମାଇଁ ଚରଣ (ବୁଲୁ) ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଉପାଧ୍ୟକ୍ଷା ରୀନା ସୁନାଙ୍କ ସମେତ କାଉନସିଲର ୱାର୍ଡ ନଂ ୧ର ଅର୍ଜିନା ବେଗମ୍, ୱାର୍ଡ ୩ର ଜ୍ୟୋତିର୍ମୟୀ ପଟ୍ଟନାୟକ, ୱାର୍ଡ ୪ର ସୁନନ୍ଦା ପଶାୟତ, ୱାର୍ଡ ୫ର ଦୀପକ ଭଇଁଶାଲ, ୱାର୍ଡ ୭ର ଶକୁନ୍ତଳା ମହନ୍ତ, ୱାର୍ଡ ୮ର ସଞ୍ଜୟ ଯାଦବ, ୱାର୍ଡ ୧୦ର ସଞ୍ଜୀବ କିଶାନ, ୱାର୍ଡ ୧୧ର ଯୁଧିଷ୍ଠିର ମୁଖୀ, ୱାର୍ଡ ୧୨ର ନିକି କାଲୋ, ୱାର୍ଡ ୧୫ର ବିଜୟ କୁମାର ପ୍ରଧାନ, ୱାର୍ଡ ୧୬ର ଗୀତାରାଣୀ ପାନ, ୱାର୍ଡ ୧୭ର ଆଶା ତ୍ରିପାଠୀ ଏବଂ ୱାର୍ଡ ୧୮ର କିରଣ ମରେଇ ପ୍ରମୁଖ ସାମିଲ ରହିଥିବା ଜଣାପଡିଛି। ଅନ୍ୟ ପଟରେ ନଗରପାଳ ବୁଲୁ ରାଜନୈତିକ କ୍ଷେତ୍ରରେ ଯୁବ ଅବସ୍ଥାରୁ ଜଣେ ଦକ୍ଷ ନେତା ଥିବା ବେଳେ ନିଜ ପଦବୀ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ତଥା କସରତ ଆରମ୍ଭ କରିଦେଇଥିବା ଜଣାପଡିଛି।



