ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି
ଅନୁଗୋଳ, ୨୪ ଅଗଷ୍ଟ: ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୪୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୦୧ଟି ବ୍ୟକ୍ତିଗତ ଏବଂ ୪୫ଟି ଗ୍ରାମପଞ୍ଚାୟତ ସମ୍ପର୍କିତ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା।
ଏହି ଅବସରରେ ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୫ ହଜାର ଟଙ୍କା ଏବଂ ଦୁଇଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଜନଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ୱାସ୍ଥ୍ୟ, ଗ୍ରାମୀଣ ଆବାସ, ଜମିଜମା ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।



