ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୋଳ, ୧୯.୦୬ : ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ସ୍ଲୋଗାନ ସହ ଅନୁଗୋଳରେ ଜିଲ୍ଲାସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଭାଘରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଶାସନକାଳରେ “ଜନ ସେବା ହିଁ ସଂକଳ୍ପ” କୁ ଆଧାର କରି ଗରିବଙ୍କ କଲ୍ୟାଣ ଏବଂ ଅନ୍ତ୍ୟୋଦୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି କହିଥିଲେ। ଏଥିସହ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବାୟୋ ବନ୍ଦନା ଯୋଜନା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ପିଏମଶ୍ରୀ ସ୍କୁଲ ଓ ଅନ୍ୟ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସେ ଅବଗତ କରାଇଥିଲେ।

ସେହିଭଳି ସମ୍ମାନିତ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ଯୋଗଦେଇ ଓଡ଼ିଶାର ବିକାଶ ଧାରା ଏବଂ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ଯୋଗ ଦେଇ ଜିଲ୍ଲାର ପ୍ରକଳ୍ପର ସୁଫଳ ବିଷୟରେ କହି ସରକାରଙ୍କ ପ୍ରଶଂସା କରିଥିଲେ। ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଏବଂ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ରେ ଦୁଇ ବର୍ଷ ସରକାର ରେ ହୋଇଥିବା ବିକାଶ ସମ୍ପର୍କରେ କହିଥିଲେ। ସେହିପରି ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ଖଣି, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ସଫଳ ସେବା ପ୍ରଦାନ ବିଷୟରେ କହିଥିଲେ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତିନିଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ କରାଯାଇ ୮ଟି ପ୍ରଦର୍ଶନୀ ଷ୍ଟଲ୍ ଲଗାଯାଇଛି ଏବଂ ପ୍ରତି ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତର ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହାୟତାରେ ବିଗତ ଦୁଇ ବର୍ଷରେ ବହୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରିଛି ଯାହା ଦ୍ୱାରା ଜିଲ୍ଲାର ଜନସାଧାରଣ ବିଶେଷ ଭାବରେ ଉପକୃତ ହୋଇପରିଛନ୍ତି ।

ଏହି ଅବସରରେ ବିଭିନ୍ନ ବିଭାଗ ତରଫରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ସ୍ମାର୍ଟ ଫୋନ୍, ସ୍ୱୟଂ ସହାୟକ ଗ୍ରୁପ୍ ଙ୍କୁ ବ୍ୟାଙ୍କ୍ ଋଣ, ରାସନ କାର୍ଡ , ମଧୁବାବୁ ପେନସନ ସ୍କିମ ଅନ୍ତର୍ଗତ ଭତ୍ତା , ନିଯୁକ୍ତି ପତ୍ର, ନିର୍ମାଣ ଶ୍ରମିକ ମୃତ୍ୟୁ ସହାୟତା, ଟ୍ରାଇ ସାଇକେଲ ଇତ୍ୟାଦି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ସ୍ୱତନ୍ତ୍ର ସମନ୍ୱୟ ବୋର୍ଡର ଅଧ୍ୟକ୍ଷ ଶ୍ରୀ ବଶିଷ୍ଠ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଆଶା, ଅଙ୍ଗନବାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।




