ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ

(ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ -୨୦୨୬ ପାଳନ)
ଢେଙ୍କାନାଳ : ତା.୦୫.୦୭.୨୦୨୬ ରିଖ :ଗତକାଲି ପୂର୍ବାହ୍ନ ୦୩ ଘଟିକା ସମୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ସ୍ଥାନୀୟ ଢେଙ୍କାନାଳ ସମବାୟ ବିଭାଗ ପକ୍ଷରୁ ଉପନିବନ୍ଧକ ସମବାୟ ସମିତିଙ୍କ ସମ୍ମିଳନୀ କକ୍ଷରେ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ପାଇଁ ପୁରସ୍କାର ବିତରଣ ଉତ୍ସବ -୨୦୨୬ଅନୁଷ୍ଠିତ ହୋଇଯାଇଛି।ଏଥିରେ ଢେଙ୍କାନାଳ ଉପନିବନ୍ଧକ ସମବାୟ ସମିତି ସମୂହ ଉମାଶଙ୍କର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରି ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ -୨୦୨୬ ପାଳନର ଆଭିମୁଖ୍ୟ,ଆବଶ୍ୟକତା,ତାତ୍ପର୍ଯ୍ୟ ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରି ପ୍ରତିଯୋଗିତାର ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ : “ସମବାୟରୁ ସମୃଦ୍ଧି” ଓ ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ “ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ” ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିପ୍ରେତ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତେ ଏଥିରେ ସାମିଲ ହୋଇ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡ. ପ୍ରଭାସ କୁମାର ବେହେରା,ଢେଙ୍କାନାଳ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,ଜିଲ୍ଳା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ତତ୍ଵମସି ମହାପାତ୍ର,ବାଲୁଙ୍କେଶ୍ୱର ଦାଶ,ଜିଲ୍ଳା ସମୀକ୍ଷା ଅଧିକାରୀ ଓ ବିଚାରକ ଭାବରେ ଅମରଜୟ ଦାଶ,ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ,ଢେଙ୍କାନାଳ ପ୍ରଭାଗ,ଶୁଭ୍ରାଂଶୁ ଶେଖର ପାତ୍ର,ଅବସରପ୍ରାପ୍ତ ଉପ ସହକାରୀ ନିବନ୍ଧକ,ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଆମ ସଂସ୍କୃତି ଓ ପରମ୍ପରାରେ ସମବାୟର ଉତ୍ସ ଓ ଆଧାର ରହିଛି।ସମବାୟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି ଭବିଷ୍ୟତ ପାଇଁ ମାର୍ଗ ନିର୍ଣ୍ଣୟ ନିମନ୍ତେ ସମବାୟ କାର୍ଯ୍ଯକ୍ରମ ପ୍ରେରଣା ଯୋଗାଇବ।ସମୟର ଆହ୍ଵାନ ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ସମବାୟରୁ ବିକଶିତ ଓଡ଼ିଶା ଓ ଭାରତର ସମୃଦ୍ଧି ସମ୍ଭବ ହେବ ବୋଲି ଦୃଢ଼ ଆଶା ଓ ବିଶ୍ବାସ ପୋଷଣ କରିଥିଲେ।ଏହି ଅବସରରେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଅନୁଷ୍ଠିତ ପ୍ରବନ୍ଧ ତଥା କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭାଗ ବକ୍ତୃତା ପ୍ରତିଯୋଗିତାରେ ୦୭ ଟି ବିଭାଗରେ ମୋଟ୍ ୨୧ ଜଣ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର,ମୋମେଣ୍ଟୋ ଓ ଅର୍ଥରାଶି ପ୍ରଦାନ କରାଯାଇ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ୧୪୦ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ରେ,ଜିଲ୍ଳାର ୦୩ ଟି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ନିକଟସ୍ଥ ବିଦ୍ୟାଳୟ, ମହାବିଦ୍ୟାଲୟ,ମନ୍ଦିର ହତା ପ୍ରାଙ୍ଗଣ ଆଦି ସ୍ଥାନରେ ପ୍ରାୟ ସହସ୍ରାଧିକ ବୃକ୍ଷପ୍ରେମୀ ସମ୍ମିଳିତ ହୋଇ ପ୍ରାୟ ୨୦୦୦ ସଂଖ୍ୟକ ବୃକ୍ଷରୋପଣ କରଯାଇଥିଲା ଏଵଂ ଚଳିତ ବର୍ଷ ପ୍ରାୟ ୫୦୦୦ ସଂଖ୍ୟକ ବୃକ୍ଷରୋପଣର ଲକ୍ଷ୍ୟଧାର୍ଯ୍ୟ କରଯାଇଛି।

ଢେଙ୍କାନାଳ ରକ୍ତ କେନ୍ଦ୍ରର ଲାବୋରେଟୋରୀ ଟେକ୍ନୋ ସିଆନ୍ ପରମାନନ୍ଦ ପଣ୍ଡା,ମାନସ ରଞ୍ଜନ ବାରିକ,ନର୍ସିଂ ଅଫିସର୍ ସୌମ୍ୟ ରଞ୍ଜନ ମହାନ୍ତି,ଆଟେନ୍ ଡାଣ୍ଟ ଅଜୟ ସ୍ବାଇଁ ଓ ତପନ ଜେନାଙ୍କ ମିଳିତ ସହଯୋଗରେ ଅର୍ଦ୍ଧଶତାଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ବିଚାରକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ କାର୍ଯ୍ୟାଳୟର ଦିନେଶ କୁମାର ବେହେରା,ସୁଭାଷ ଚନ୍ଦ୍ର ନାୟକ,ମଳୟ କୁମାର ରାଉତ,ଅମିତ ଶକ୍ତି ପ୍ରଧାନ,ଶେଖର ଚନ୍ଦ୍ର ମଲ୍ଲିକ ରକ୍ତଦାନ କରିଥିବା ବେଳେ ଉମାକାନ୍ତ ନାୟକ, ମଳୟ କୁମାର ରାଉତ,ଅମିତ ଶକ୍ତି ପ୍ରଧାନ,ଶେଖର ଚନ୍ଦ୍ର ମଲ୍ଲିକ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଓ ବିଚାରକ ଭାବରେ ଅମରଜୟ ଦାଶ,ସହକାରୀ ନିବନ୍ଧକ,ସମବାୟ ସମିତି ସମୂହ,ଢେଙ୍କାନାଳ ପ୍ରଭାଗ ଉପସ୍ଥିତ ଆଜିର ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିଥିବା ଅଂଶଗ୍ରହଣକାରୀ ସମସ୍ତ ଛାତ୍ରୀ ଛାତ୍ର,ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ମାତା,ପିତା,ଅଭିଭାବିକା,ଅଭିଭାବକ,କାର୍ଯ୍ୟାଳୟର ଅଧିକାରୀ ଗଣ ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




