ଲଗାଣ ବର୍ଷାରେ ଭିଜୁଛି ତାଳଚେର : ଲୋକେ ହୀନସ୍ତା

ତାଳଚେର, ୦୫/୦୭ ବାରମାସର ଛଅଋତୁ, ହେଲେ ତାଳଚେରକୁ ଏହି ଋତୁ ଗୁଡ଼ିକ ମଧ୍ୟରୁ କେଉଁ ଋତୁଟି ବି ସୁହାଉ ନଥିବା ଭଳି ମନେ ହେଉଛି । ଦୁଇଦିନ ହେବ ଲଗାଣବର୍ଷାରେ ଭିଜୁଛି ତାଳଚେର ଏବଂ ଲୋକେ ହେଉଛନ୍ତି ହୀନସ୍ତା । ଉଦାହରଣ ସ୍ୱରୂପ ଖରାଦିନେ କୋଇଲା ଗୁଣ୍ଡ ଓ ଧୂଳିଧୂଆଁରେ ରାସ୍ତା ଗୁଡ଼ିକ ଦିନ ବେଳା ଦେଖା ଯାଉନଥିବା ବେଳେ, ଲଗାଣବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ ପାଣି, କଳାପାଣି ସହ କାଦୁଅ ରାସ୍ତା, ବାଇପାସ୍ ରାସ୍ତାର ଦୁଇପାଶ୍ୱର୍ରେ ମୋଟା ବହଳର କୋଇଲା କାଦୁଅ, ଖାଲି ବାଇପାସ୍ କାହିଁକି ବାଙ୍କଧରା ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ଏବଂ ସହରର ଗଳିକନ୍ଦି ଗୁଡ଼ିକ ମଧ୍ୟ ସବୁଠି ସମାନ ଦଶା, ଦୁଇ ଚକିଆଯାନ ଚଳାଇବା କଷ୍ଟକର । ତାଳଚେରରେ ବର୍ଷବର୍ଷ ଧରି ପ୍ରଦ୍ୟୁଷିତ ଓ ରାସ୍ତାଘାଟ ଜନିତ ଏପରି ସମସ୍ୟା ଲାଗି ରହୁଥିଲେ ସୁଦ୍ଧା ତାହାର ନିରାକରଣ ଅଦ୍ୟାବଧି ହୋଇ ନପାରିବା ଏକ ଉଦବେଗ ବିଷୟ ପାଲଟିଛି । ରାସ୍ତା ପାଶ୍ୱର୍ରେ ରହିଥିବା ଗ୍ରାମାଚଂଳ ଓ ସହରାଚଂଳ ଲୋକେ ଦୀର୍ଘବର୍ଷ ହେବ ରାସ୍ତାରୁ ଉଡ଼ୁଥିବା ପ୍ରଚୁର କୋଇଲା ଗୁଣ୍ଡ, ଧୂଳିଧୂଆଁରେ ଅଣନିଶ୍ୱାସୀ ହେବା ସହିତ ଦୈନନ୍ଦିନ ଦୁର୍ଘଟଣା ଶୀକାର ହେଉଥିବା ଘଟଣା ଅଂଚଳବାସୀଙ୍କୁ ମର୍ମାହତ କରୁଛି । ଲୋକଙ୍କୁ ଧୂଳିଧୂଆଁ ଅଣାୟତ କରୁଥିବା ବେଳେ ଲଗାଣ ବର୍ଷା ହେଲେ ରାସ୍ତାରେ କୁତ୍ରିମ ହ୍ରଦ ପାଲଟୁଛି । କେଉଁ ଦଶାରୁ ଲୋକ ମୁକୁଳିବେ ତାର କିଛି ରାହା ନାହିଁ । ଏପଟେ ଦୈନିକ ଶହଶହ ଟ୍ରକ ଯାତାୟତ ଯୋଗୁଁ ତାଳଚେର ଟ୍ରାଫିକ୍ ବ୍ୟବସ୍ଥା ବିର୍ଯ୍ୟସ୍ତ । ଏପରିକି ରାସ୍ତାରପାଶ୍ୱର୍ରେ ତାଳବେଡ଼ା ଗ୍ରାମ ଠାରୁ ଆରମ୍ଭକରି ବସଷ୍ଟାଣ୍ଡ, ଚାଳକିଆକୂଟା, ତାଳଚେର କଲେଜ, ବାଇପାସ୍ ଛକ, ବହ୍ଲର. ଥର୍ମାଲ, ଆନନ୍ଦବଜାର, ଚାଇଁପାଳ ପର୍ଯ୍ୟନ୍ତ ସବୁଠି କାଦୁଅ ପଥଚାରୀମାନେ ନାକ ଓ ଆଣ୍ଠୁ ପର୍ଯ୍ୟନ୍ତ ନିଜର ବସ୍ତ୍ର ଟେକି ଯାଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଏପରିକି ଦୁଇଦିନ ହେବ ଲଗାଣବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବା କୌଣସି ଜରୁରୀ କାର୍ଯ୍ୟଥିଲେ ମଧ୍ୟ ଯିବାକୁ ଅମଙ୍ଗ ହେଉଛନ୍ତି, କାହିଁକି ନା ରାସ୍ତାରେ ପାଣି ଜମି ଛୋଟଛୋଟ ହ୍ରଦ ସୃଷ୍ଟି ହେଉଛି ଓ ଯାନବାହାନରେ ଗଲେ ରାସ୍ତାର ପାଣି ସୂଅ କାଟୁଛି । ଏହାକୁ ନେଇ ସର୍ବସାଧାରଣଙ୍କ ମନରେ ଅଶାନ୍ତିର ବାତାବରଣ ଦେଖା ଦେଉଥିବା ମଧ୍ୟ ଅଂଚଳବାସୀ ପ୍ରକାଶ କରିଛନ୍ତି ।



