ମେଡ଼ିକାଲ କଲେଜକୁ ନେଇ ରାଜନୀତି ବନ୍ଦ କରାଯାଉ : ସର୍ବଧାରଣ
ତାଳଚେର, ୧୨/୦୭ ତାଳଚେର ମେଡ଼ିକାଲ କଲେଜରେ ଗତକାଲି ଏକ ଅଭାନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମେଡ଼ିକାଲ କଲେଜରେ କାର୍ଯ୍ୟରତ ଠିକାକର୍ମଚାରୀ ଓ ଷ୍ଟାପନର୍ସଙ୍କୁ ମାରାତ୍ମକ ଆକ୍ରମଣ କରାଯାଇଛି ବୋଲି ସେମାନେ କୋଲିୟରୀ ଥାନାରେ ଏକଲିଖିତ ଅଭିଯୋଗ କରିଛନ୍ତି । ତାଳଚେର ବିଧାୟକଙ୍କ ଇଙ୍ଗିତରେ କିଛି ବିଜେଡ଼ି କର୍ମୀ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ମେଡ଼ିକାଲ କଲେଜରେ କର୍ମଚାରୀଙ୍କୁ ଆକ୍ରମଣକୁ ନେଇ ଆଜି ତାଳଚେର କୋଲିୟରୀ ଥାନାରେ ବିଜେପି କର୍ମୀମାନେ ଦୀର୍ଘ ସମୟଧରି ଘେରାଉ କରିଛନ୍ତି । ଉକ୍ତ ଘଟଣାରେ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ସମ୍ପୃକ୍ତିକୁ ଦର୍ଶାଇ ତାଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଧାରଣା ଦିଆଯାଇଥିଲା । ବିଧାୟକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଘେରାଉରେ ବିଜେପି ନେତା ପ୍ରଭାକର ସାହୁ, ରାଜେନ୍ଦ୍ର ସିଂହ, ମାନସ ସାହୁ, ସୁନିଲ ବିଶ୍ୱାଳ, ବିଜୟବିଶ୍ୱାଳ, ନିରଞ୍ଜନ ପ୍ରଧାନ, ସ୍ୱାଧୀନ ଥମ୍ବ, ବିଭୂତି ସାହୁଙ୍କ ସହ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ସେହିପରି ଗତ ୧୨/୦୭/୨୦୨୬ରେ ବିଜେଡ଼ିର ମନୋଜ ସାହୁ କୋଲିୟରୀ ଥାନାରେ ମେଡ଼ିକାଲରେ ଥିବା ସମୟରେ ବିକାଶ ରଞ୍ଜନ ଗଡ଼ନାୟକ ଅସଭ୍ୟଭାଷାରେ ଗାଳିଗୁଲଜ କରିବା ସମୟରେ ଏହାକୁ ସେ ପ୍ରତିବାଦ୍ କରିବାରୁ ଶ୍ରୀ ଗଡ଼ନାୟକ ଜୀବନରେ ମାରିଦେବା ଉଦ୍ଦେଶ୍ୟ ଏକ ଧକ୍କା ମାରିଥିଲେ ବୋଲି କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ । ତେବେ କୋଲିୟରୀ ପୋଲିସ୍ ଉଭୟ ଘଟଣାକୁ ନେଇ ତଦନ୍ତ କରି ଦୋଷିକୁ ଦଣ୍ଡ ଦେବା ପରିବର୍ତେ ତାଙ୍କୁ ଗିରଫ କରିବାକୁ ସେ ନିନ୍ଦା କରିଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ଏଭଳି ଘଟଣା ମେଡ଼ିକାଲ ପରିସରରେ କାହିଁକି ଓ କିପରି ଘଟିଲା ତାକୁ ନେଇ ଜନସାଧାରଣ ମନରେ ସନ୍ଦେହ ପ୍ରକଟ ହେବା ସହ ମେଡ଼ିକାଲ କଲେଜକୁ ନେଇ ରାଜନୀତି ନକରିବାକୁ ସାଧାରଣରେ ଦାବି ହେଉଛି । ଏସମ୍ପର୍କରେ କୋଳିୟରୀ ପୋଲିସକୁ ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲଟିକୁ ଗ୍ରହଣ କରିନଥିଲେ ।



