ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ଭୁବନେଶ୍ୱର ସ୍ଥିତ ବିଜେପିର ରାଜ୍ୟ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ପ୍ରଭାତ। ତାଙ୍କ ସହିତ ତାଙ୍କର ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ସମର୍ଥକଙ୍କ ସହିତ ଏକ ବଡ଼ ଶୋଭାଯାତ୍ରାରେ ଆସି ବିଜେପିରେ ମିଶିଛନ୍ତି ପ୍ରଭାତ।
ଗତ ଫେବ୍ରୁଆରୀ ମାସରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିଲା। ବିଜେଡି ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାରୁ ସେ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ ଓ ଅସନ୍ତୋଷ ଝାଡ଼ିଥିଲେ। ଏମିତିକି ନବୀନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା ବୋଲି କୁହାଯାଇଥିଲା।ପ୍ରଭାତ ରଞ୍ଜନ ବିଶ୍ୱାଳ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ କଟକ-ଚୌଦ୍ୱାର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଚିଟ୍ ଫଣ୍ଡ କେସ୍ରେ ଫସି ସେ ବିବାଦୀୟ ହୋଇପଡ଼ିଥିଲେ। ୨୦୧୯ ଓ ୨୦୨୪ରେ ତାଙ୍କ ପୁଅ ବିଜେଡି ଟିକେଟ୍ରେ ଏହି ଆସନରୁ ବିଜୟୀ ହୋଇଥିଲେ।



